ଯାଜପୁର: ପ୍ରେମ ପ୍ରତାରଣା ଧୋକା ଅଭିଯୋଗ । ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣା ଦେଲେ ପୀଡିତା । ଏଭଳି ଅଭିଯୋଗ ହୋଇଛି ଯାଜପୁର ଜିଲ୍ଲା ବଡଚଣା ଥାନାରେ ।
ସୂଚନା ଅନୁଯାୟୀ ବଡଚଣା ଥାନା ଅନ୍ତର୍ଗତ ବନ୍ତଳା ଗ୍ରାମର ଯୁବକ ସମ୍ବିତ ସାମଲ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ପରେ ଯୁବତୀ ଜଣକ ଗର୍ଭବତୀ ହୋଇଛନ୍ତି । ଯୁବତୀ ଜଣକ ଗର୍ଭବତୀ ହେବା ଜାଣିବା ପରେ ବିବାହ ପାଇଁ ସମ୍ବିତକୁ କହିଥିଲେ କିନ୍ତୁ ସେ ବିବାହ କରିବାକୁ ମନା କରିଦେଇଥିଲେ । ଏହା ପରେ ସେ ଫେରାର ହୋଇଯାଇଛନ୍ତି । ଏ ସଂପର୍କରେ ଉଭୟ ପରିବାର ଲୋକେ ମଧ୍ୟ ଜାଣିଛନ୍ତି ।
ତେବେ ଶେଷରେ ନିରୁପାୟ ହୋଇ ପୀଡିତା ଜଣକ ବଡଚଣା ଥାନାରେ ଅଭିଯୋଗ କରିଥିଲେ । ପୋଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି ଆଜି ପୀଡିତା ବଡଚଣା ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି । ସେପଟେ ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ