ଯାଜପୁର: ଜିଲ୍ଲା କଳିଙ୍ଗନଗର-ଯାଜପୁର ରୋଡ ମୁଖ୍ୟ ରାସ୍ତା ତଥା 4 ଲେନ ବିଶିଷ୍ଟ ରାସ୍ତା ସମ୍ଫ୍ରସାରଣ ହୋଇ 6 ଲେନ ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ । ଏହି ରାସ୍ତାର ସମ୍ପ୍ରସାରଣ ନିମନ୍ତେ ଦାନଗଦି ବଜାରରେ ଆଜିଠୁଁ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ।
ସ୍ଥାନୀୟ ଦାନଗଦି ତହସିଲ ପ୍ରଶାସନ ଦ୍ଵାରା ଜେସିବି ଓ ପ୍ରୋକ୍ଲେନ୍ ମେସିନ ସାହାଯ୍ୟରେ ରାସ୍ତା ଦୁଇକଡରେ ସରକାରୀ ଜମିରେ ଥିବା ଦୋକାନ ଘର ଓ କୋଠା ଆଦି ଭଙ୍ଗାଯାଇଛି । ତହସିଲଦାରଙ୍କ ନେତୃତ୍ବରେ ବେସରକାରୀ ଜମିରେ ଥିବା ଦୋକାନଘର ଓ କୋଠା ଆଦିର କ୍ଷତିପୂରଣ ପ୍ରଦାନ କରାଯାଇ ତାହା ମଧ୍ୟ ଉଚ୍ଛେଦ କରାଯାଉଛି । ଏଥିପାଇଁ ଗତ 15ଦିନ ପୂର୍ବରୁ ନୋଟିସ୍ ଜାରି କରାଯାଇଥିଲା । ଦୁଇ ଦିନ ପୂର୍ବରୁ ତହସିଲ ପ୍ରଶାସନ ଦ୍ଵାରା ମାଇକ୍ ପ୍ରଚାର ମଧ୍ୟ କରାଯାଇଥିଲା । ତେବେ ଆଜି ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଘଟଣାସ୍ଥଳରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା । ଏହି ଉଚ୍ଛେଦ କାର୍ଯ୍ୟରେ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ, ରାଜସ୍ବ ନିରୀକ୍ଷକ ଓ ତହସିଲ କର୍ମଚାରୀମାନେ ସାମିଲ୍ ହୋଇଥିଲେ । ଆସନ୍ତାକାଲି ବି ଏହି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ବଳବତ୍ତର ରହିବ ବୋଲି ତହସିଲଦାର ନମ୍ରତା ମୋଦି ମନ୍ତବ୍ୟ ଦେଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ