ଯାଜପୁର: ଏସିଆ ମହାଦେଶର ଶିଳ୍ପ ରାଜଧାନୀ କୁହାଯାଉଥିବା ଯାଜପୁରର ଶିଳ୍ପ ସମୃଦ୍ଧ ସହର କଳିଙ୍ଗନଗରରେ ଆରମ୍ଭ ହୋଇଛି ୩ୟ କଳିଙ୍ଗନଗର ମହୋତ୍ସବ-୨୦୧୯ । ମହୋତ୍ସବ ପାଇଁ ଉତ୍ସବ ମୁଖରିତ ହୋଇଉଠିଛି ତେଲିବାହାଳିର ମହାଦେଇପାଟ ପଡିଆ । ଏହାର ଅନତି ଦୂରରେ 1992 ମସିହାରେ ପ୍ରବାଦ ପୁରୁଷ ବିଜୁବାବୁ ଏଠାରେ ଦ୍ବିତୀୟ ଇସ୍ପାତ ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ଏବଂ ସେହିଦିନ ସେ ଏହି ଅଞ୍ଚଳର ନାଁ ଦେଇଥିଲେ କଳିଙ୍ଗନଗର । ଏହା ଆଜି ଏକ କ୍ରମବର୍ଦ୍ଧିଷ୍ଣ ଇସ୍ପାତ ନଗରୀରେ ପରିଣତ ହୋଇଛି । ତେବେ ଦେଶ ଏବଂ ରାଜ୍ୟରେ ଏହାକୁ ଆହୁରି ଅଧିକ ପରିଚିତ କରାଇବାକୁ ସ୍ଥାନୀୟ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କ ନେତୃତ୍ବରେ ବିଗତ ତିନି ବର୍ଷ ଧରି ଆୟୋଜିତ ହେଉଛି କଳିଙ୍ଗନଗର ମହୋତ୍ସବ । ବଡକଥା ହେଲା ଚଳିତବର୍ଷର ଏହି ମହୋତ୍ସବକୁ ସମସ୍ତ ଦିବ୍ୟାଙ୍ଗଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି ।
ଉଦଘାଟନୀ ସଂନ୍ଧ୍ୟାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଯାଜପୁର ଜିଲ୍ଲାର ଦିବ୍ୟାଙ୍ଗ ଦୁଇ ଭାଇ ଭଉଣୀଙ୍କ ନୃତ୍ୟ ଦର୍ଶକଙ୍କ ମନମୁଗ୍ଧ କରିଥିଲା । ଏହି ଅବସରରେ ରାଜ୍ୟର ବିଭିନ୍ନ କୃତି ଦିବ୍ୟାଙ୍ଗ ମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଦିବ୍ୟାଙ୍ଗ ।
ପ୍ରଥମ ଦିନରୁ ହିଁ ମହୋତ୍ସବ ପଡିଆ ଉତ୍ସବ ମୁଖରିତ । ସୋମବାର ସଂନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦଘାଟିତ ହୋଇଛି ଚଳିତ ବର୍ଷର ମହୋତ୍ସବ। ଏହାକୁ ଉଦଘାଟନ କରିଥିଲେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ଭାରପ୍ରାପ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ ଜିଲ୍ଲାର ଅନ୍ୟ ବିଧାୟକ ।
ସେପଟେ ମେଳାରେ ଖୋଲିଛି ସ୍ଥାନୀୟ ଶିଳ୍ପାନୁଷ୍ଠାନ ଓ ବିଭିନ୍ନ କ୍ଷୁଦ୍ର ମଧ୍ୟମ ଶିଳ୍ପ ସଂସ୍ଥାଙ୍କ ଅନେକ ଷ୍ଟଲ୍ । ଏଥିରେ ବିଭିନ୍ନ କୁଟୀର ଶିଳ୍ପ, ବୟନ ଶିଳ୍ପ ଓ ପଲ୍ଲୀଜାତ ସାମଗ୍ରୀର ଷ୍ଟଲ ମଧ୍ୟ ସ୍ଥାନ ପାଇଛନ୍ତି । ପ୍ରତି ସଂନ୍ଧ୍ୟାରେ ଆୟୋଜିତ ହେଉଛି ନାନା ସାଂସ୍କୃତିକ କାର୍ଯ୍ୟକ୍ରମ । ଯେଉଁଥିରେ ସାମିଲ ହେଉଛନ୍ତି ନାମୀଦାମୀ କଣ୍ଠଶିଳ୍ପୀ ଏବଂ ସିନେ ଷ୍ଟାର । ତେବେ ଉଦଘାଟନୀ ସଂନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଥିଲା ଓଡିଆ ସିନେ ତାରକା ଅର୍ଚ୍ଚିତା, ଓଡିଶୀ ନୃତ୍ୟଶିଳ୍ପୀ ଓ ଦିବ୍ୟାଙ୍ଗ କଳାକାରଙ୍କ ନୃତ୍ୟ ଓ ସଙ୍ଗୀତ ।
ମହୋତ୍ସବର ପ୍ରଥମ ଦିନରେ ମନ୍ତ୍ରୀ ପରିଷଦଙ୍କ ଉପସ୍ଥିତିରେ ପୁରି ଉଠିଥିଲା ସଭାମଞ୍ଚ । ଏହାପରେ ଶୀତୁଆ ରାତିରେ ଓଲିଉଡ କଳାକାରଙ୍କ ଦ୍ବାରା ପ୍ରଦର୍ଶିତ ନୃତ୍ୟ ସଙ୍ଗୀତର ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ