ଯାଜପୁର: ଗ୍ରାମାଞ୍ଚଳର ବିକାଶ ପାଇଁ ଘୋଷଣା ହେଉଛି ଅନେକ ଯୋଜନା । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଠାରୁ ଆରମ୍ଭ କରି ବାସଗୃହ ଭଳି ମୌଳିକ ସମସ୍ୟାର ସମାଧାନ ପାଇଁ ଏହି ଯୋଜନା ପ୍ରସ୍ତୁତ ହେଉଥିବା ପ୍ରଚାର ମଧ୍ୟ କରାଯାଉଛି । କିନ୍ତୁ, ଏହିସବୁ ଯୋଜନା ବାଟମାରଣା ହେବା ଫଳରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଳକ କରଦା ପଞ୍ଚାୟତରେ l କରଦା ପଞ୍ଚାୟତର ଅନେକ ହିତାଧିକାରୀ ଏବେବି ଆବାସ ଯୋଜନାରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି ।
ପଞ୍ଚାୟତକୁ ଆସୁଛି ଯୋଜନା ପରେ ଯୋଜନା । କିନ୍ତୁ, ପହଞ୍ଚିପାରୁନି ଯୋଗ୍ୟ ହିତାଧିକାରୀଙ୍କ ପାଖରେ । ଆବାସ ଯୋଜନା ଠାରୁ ଆରମ୍ଭ କରି ପାଇଖାନା ଓ ବାର୍ଦ୍ଧକ୍ୟ ଭତ୍ତା ଭଳି ଅନେକ ଯୋଜନା ଏଠି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁନଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତରେ ପାଖାପାଖି ୩ ହଜାର ଲୋକ ବସବାସ କରନ୍ତି । ପଞ୍ଚାୟତର ଅନେକ ଯୋଗ୍ୟ ହିତାଧିକାରୀ ଅଛନ୍ତି ହେଲେ ସେମାନଙ୍କୁ ମିିଳିପାରିନି ସରକାରୀ ପକ୍କାଘର । କେଉଁଠି ହିତାଧିକାରୀ ଝାଟି ମାଟି ଘରେ ରହୁଛି ତ ଆଉ କେଉଁଠି ଗୃହପାଳିତ ପଶୁଙ୍କ ସହ ରହିବାକୁ ବାଧ୍ୟ ହେଉଛି । ତଥାପି ଯୋଗ୍ୟ ହିତାଧିକାରୀଙ୍କୁ ମିଳିପାରିନି ସରକାରୀ ଆବାସ । ହେଲେ ବାରମ୍ବାର ମିଳୁଛି ପ୍ରତିଶୃତି । ଏପଟେ ପ୍ରତିଶୃତି ପାଲଟିଛି ପାଣିର ଗାର । ସେପଟେ ଲାଞ୍ଚ ନଦେଲେ ଆବାସ ମିଳୁନଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ ।
‘‘ଖରା ବରଷାକୁ ନାହିଁ ଡର, ମୁଣ୍ଡ ଉପରେ ଛାତଘର’’ ସରକାରଙ୍କ ଏହି ନାରା ଏଠି ପାଣିର ଗାର ପାଲଟିଛି l ତେବେ ଏଠି ଗୋଟେ ପ୍ରଶ୍ନ ଉଠୁଛି ସରକାରଙ୍କ ଏତେ ସବୁ ଯୋଜନା କାହାପାଇଁ l କରଦା ପଞ୍ଚାୟତର ଅନେକ ହିତାଧିକାରୀ ଏବେ ଆବାସ ଯୋଜନା ପାଇବାରୁ ବଞ୍ଚିତ । ହାତଗୁଞ୍ଜା ନଦେଲେ ଆବାସ ଯୋଜନା ମିଳୁନଥିବା ଅଭିଯୋଗ କରୁଛନ୍ତି ଲୋକେ l ଏହି ପଞ୍ଚାୟତରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ହିତାଧିକାରୀଙ୍କୁ ସମସ୍ତ ମୌଳିକ ସୁବିଧା ମିଳିପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ସେପଟେ ଏନେଇ ଆମେ କୋରେଇ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ, ତଦନ୍ତ କରାଯିବ ଏବଂ ପ୍ରକୃତ ହିତାଧିକାରୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ । ୨୦୧୧ ଜନଗଣନା ଅନୁଯାୟୀ ଆସିଥିବା ଆବାସ ଯୋଜନା ଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ତେବେ କେବେ ଏହି ଗରିବ ହିତାଧିକାରୀଙ୍କୁ ଆବାସ କିମ୍ବା ଅନ୍ୟ ମୌଳିକ ସୁବିଧା ମିଳୁଛି ତାକୁ ଅପେକ୍ଷା l
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ