ଯାଜପୁର: ହାଉସ କିପିଙ୍ଗ ଟେଣ୍ଡର ବାତିଲ କରିବାରୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ବଦଳି । ସିଡିଏମଓ ଡ. ବିରଞ୍ଚି ନାରାୟଣ ବାରିକଙ୍କୁ ସିଧାସଳଖ କଳାହାଣ୍ଡିକୁ ବଦଳି କରାଯାଇଛି । ଯାହାକୁ ନେଇ ଦେଖାଦେଇଛି ବିବାଦ । ଜିଲ୍ଲାର ବିଭିନ୍ନ ହାଉସ କିପିଙ୍ଗ ଟେଣ୍ଡର ଅନିୟମିତତା ଜଣାପଡିବା ପରେ ସେ ଏହି ଟେଣ୍ଡରକୁ ବାତିଲ କରିଥିଲେ । ତେବେ ଅକ୍ରୋଶମୂଳକ ଭାବେ ବଦଳି କରାଯାଇଥିବା ଅଭିଯୋଗ କରିଛନ୍ତି ଖୋଦ ସିଡିଏମଓ ।
ଏନେଇ ସିଡିଏମଓ କହିଛନ୍ତି ଯେ, ‘‘ମୋତେ କଳାହାଣ୍ଡି ଜିଲ୍ଲାକୁ ବଦଳି କରାଯାଇଛି । ମୁଁ ଠିକଭାବେ କାମ କରିବା ସତ୍ତ୍ବେ କାହିଁକି ବଦଳି କରାଗଲା ମୁଁ ଜାଣିପାରୁନାହିଁ । ଟେଣ୍ଡରକୁ ବାତିଲକୁ ନେଇ ଏଭଳି କରାଯାଇଥିବା ଅନୁମାନ କରୁଛି । ଏହି ଟେଣ୍ଡର ଅନ୍ୟ ଜିଲ୍ଲା ଅପେକ୍ଷା ବହୁତ ଅଧିକ ହୋଇଥିବାରୁ ସେ ଜିଲ୍ଲାପାଳଙ୍କ ଅନୁମତି ନେଇ ଏହି ଟେଣ୍ଡର ଆବେଦନକୁ ଖାରଜ କରିଥିଲେ । ଯାହାକୁ ନେଇ ତାଙ୍କ ଉପରେ ରାଜନୈତିକ ଚାପ ପଡ଼ିଥିଲା ଏବଂ ରାତାରାତି ସ୍ୱାସ୍ଥ୍ୟ ବିଭାଗ ତାଙ୍କୁ ବଦଳି କରିଛି । ମୁଁ ଏଠାରେ ଜନ୍ମ ହୋଇଛି । ତଥାପି ମୁଁ ଏଠାରେ କାମ କରିପାରୁନାହିଁ । ଅନ୍ୟମାନେ କାମ କରିବାକୁ ଆସିଲେ ଟିକେ ହୁସିଆର ହୋଇ କାମ କରିବେ । ମୁଁ ଆଉ ଚାକିରି କରିବାକୁ ଚାହୁଁନାହିଁ । ସ୍ବେଚ୍ଛାକୃତ ଭାବେ ମୁଁ ଅବସର ନେବାକୁ ଚାହୁଁଛି ।’’
ସିଡିଏମଓଙ୍କ ଚାକିରି ପାଖାପାଖି 2 ବର୍ଷ ଥିଲେ ମଧ୍ୟ ସେ ସ୍ବେଚ୍ଛାକୃତ ଅବସର ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ବୁଧବାର ସିଡିଏମଓ ନିଜ ପରିବାର ସହିତ ଯାଜପୁର ଛାଡିଥିବା ବେଳେ ଏହି ଅଚାନକ ବଦଳିକୁ ନେଇ ଅନ୍ୟ ଡାକ୍ତର ଓ କର୍ମଚାରୀଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ଏନେଇ ବୃଦ୍ଧିଜୀବୀ ଜୟନ୍ତ ଗୋସ୍ୱାମୀ କହିଛନ୍ତି ଯେ, "ଯାଜପୁର ଜିଲ୍ଲାର ଏହା ଆଜି ଚର୍ଚ୍ଚାର ବିଷୟ ପାଲଟିଛି । ବିରଞ୍ଚି ନାରାୟଣ ବାରିକଙ୍କ ଭଳି ଜଣେ ଦକ୍ଷ ଚିକିତ୍ସକ ଜିଲ୍ଲାର ଚିକିତ୍ସା କ୍ଷେତ୍ରରେ ଆମୁଳଚୂଳ ପରିବର୍ତ୍ତନ କରିଥିଲେ । ଜଣେ ଦକ୍ଷ ପ୍ରଶାସକ ଭାବେ ଆମେ ଗ୍ରହଣ କରିଥିଲୁ । ଅନ୍ୟାୟ ବିରୋଧରେ ସେ ସର୍ବଦା ସ୍ବର ଉଠାଉଥିଲେ । ଜିଲ୍ଲା କାର୍ଯ୍ୟାଳୟରେ ଯେଉଁମାନେ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ଥିଲେ ସେ ସେମାନଙ୍କୁ କାର୍ଯ୍ୟାଳୟରୁ ଦୂରେଇ ରଖୁଥିଲେ । ଏକ ଅନ୍ୟାୟ ଅନୀତିର ଚାପ ଭିତରେ ସେ ଆଜି ମୁଣ୍ଡ ନୁଆଁଇ ନଥିବାରୁ ଆମେ ସାଲ୍ୟୁଟ କରୁଛୁ । "
ଇଟିଭି ଭାରତ, ଯାଜପୁର