ଯାଜପୁର: ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ମଥୁରାପୁର ବ୍ରିଜ ନିକଟରୁ ବେଆଇନ ଭାବେ ଚାଲିଛି ବାଲି ଚୋରାଚାଲାଣ । ବ୍ୟାସନଗର ତହସିଲଦାରଙ୍କ ନେତୃତ୍ବରେ ଏକ ଟିମ୍ ଏହି ବାଲି ଖାଦାନ୍ ଉପରେ ଅତର୍କିତ ଭାବେ ଚଢାଉ କରିଥିଲେ । ଏଥିରେ ସ୍ଥାନୀୟ ମହିଳା ଆର.ଆଇ ଏବଂ ତହସିଲର ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ସାମିଲ ଥିଲେ ।
ତେବେ ଚଢାଉ ସମୟରେ ସେଠାରୁ ବାଲି ଚାଲାଣ କରୁଥିବା ଜନୈକ ବ୍ୟକ୍ତି ଗ୍ରାମର ଅନେକ କିଛି ମହିଳା ଓ ପୁରୁଷଙ୍କୁ ଡାକି ଆଣି ତହସିଲର ସମସ୍ତ କର୍ମଚାରୀ ମାନଙ୍କୁ ଘେରାଉ କରି ରଖିଥିଲେ । ଏଥିସହିତ ମହିଳା ଆର.ଆଇଙ୍କୁ ଖରାପ ଭାଷାରେ ଗାଳି ଗୁଳଜ ମଧ୍ୟ କରିଥିଲେ ।
ତହସିଲଦାରଙ୍କ ପାଖରୁ ଖବର ପାଇ କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଘଉଡାଇବା ସହ ଦୀର୍ଘ ଦୁଇ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଅଟକ ଥିବା ସମସ୍ତ ସରକାରୀ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା । ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ସହ ବାଲିଘାଟରୁ ଗାଡି ଗୁଡିକ ଜବତ କରାଯାଇଛି । ଏଠାରୁ ବାଲି ପରିବହନ କରୁଥିବା ଚାରୋଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଥାନାକୁ ଅଣାଯାଇଛି ।
ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସମ୍ପୃକ୍ତ ଅଞ୍ଚଳର ତହସିଲଦାର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ