ଯାଜପୁର: ପୁନର୍ବାର ଗତ ଦୁଇ ଦିନ ଧରି ଯାଜପୁର ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ଜଳ ପ୍ରବେଶ କରିଛି । ଏହି ଲଗାଣ ବର୍ଷା ପଡୋଶୀ କେନ୍ଦୁଝର ଜିଲ୍ଲାରେ ପ୍ରବଳତର ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ ।
ଉପର ମୁଣ୍ଡରେ କେନ୍ଦୁଝର ଜିଲ୍ଲାରେ ଅଧିକ ବର୍ଷା ହେଲେ ଯାଜପୁର ଜିଲ୍ଲାରେ ପ୍ରବାହିତ ହେଉଥିବା ବୈତରଣୀ ନଦୀରେ ବନ୍ୟା ଆସିବାର ଆଶଙ୍କା ରହିଛି । ତେଣୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ପୂର୍ବ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇ ଓ ଘଳିଆର ମରାମତି ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଜିଲ୍ଲାପାଳ କହିଛନ୍ତି ।
ବୈତରଣୀ ନଦୀରେ ବନ୍ୟା ସମ୍ଭାବନା ଥିବାରୁ ଏ ସମ୍ପର୍କରେ କେନ୍ଦୁଝର ଜିଲ୍ଲା ସହିତ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଯୋଗ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି ।
ଯାଜପୁରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ