ଯାଜପୁର: ଜିଲ୍ଲାର ବିଂଝାରପୁର କଲ୍ୟାଣପୁର ଗାଁର ଶୈଳେନ୍ଦ୍ର ନାରାୟଣ ରାଉତଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି ଥାଇଲାଣ୍ଡ ପିଜୁଳି । କୋରୋନା ଲକଡାଉନ ବଦଳାଇ ଦେଲା ରୋଜଗାରର ମାଧ୍ୟମ । ନିଜେ ଉଦ୍ୟାନ ସାଥୀ ହୋଇ ଦୈନିକ ପାରିଶ୍ରମିକରେ କାମ କରୁଥିବା ଯୁବକ ଏବେ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ଥାଇଲାଣ୍ଡ ପିଜୁଳି ସାଜିଛି ତାଙ୍କ ରୋଜଗାରର ମାଧ୍ୟମ ।
ଶୈଳେନ୍ଦ୍ର କୋରୋନା ଲକ୍ଡାଉନ ସମୟରେ ଘରେ ସମୟ ଅପଚୟ କରୁଥିବାବେଳେ ଚାଷ କରିବା ପାଇଁ ମନ ବଳାଇଥିଲେ । ସେହି ସମୟରେ ପିଜୁଳି ଚାଷ କରି ଆର୍ଥିକ ସ୍ୱାବଲମ୍ବି ହୋଇପାରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।ବର୍ତ୍ତମାନ ବିଂଝାରପୁର ବ୍ଲକ କଲ୍ୟାଣପୁର ଗାଁର ଶୈଳେନ୍ଦ୍ର ଏବେ ଜଣେ ସପଂଳ ପିଜୁଳି ଚାଷୀ ଭାବେ ବେଶ ଜଣାଶୁଣା ହୋଇପାରିଛନ୍ତି । ଦେଶୀ ପିଜୁଳି ନୁହେଁ ବିଦେଶୀ ଥାଇଲାଣ୍ଡ ପିଜୁଳି ଚାଷ କରି ଭଲ ରୋଜଗାର କରିପାରୁଛନ୍ତି ।
ନିଜେ ରୋଜଗାର କରିବା ସହ କିଛିଜଣଙ୍କୁ ମଧ୍ୟ ନିଯୁକ୍ତି ଦେଇପାରିଛନ୍ତି । ଏହି ପିଜୁଳି ଏବେ ଭଲ ଅମଳ ହେଉଛି । ପିଜୁଳିର ଓଜନ ୧୦୦ ଗ୍ରାମରୁ ଆରମ୍ଭ କରି ୫୦୦ ଗ୍ରାମ ପର୍ଯ୍ୟନ୍ତ ରହିଛି । ଶୈଳେନ୍ଦ୍ରଙ୍କୁ ଏଭଳି ପିଜୁଳି ଚାଷରେ ପୁରା ପରିବାର ସହଯୋଗ କରୁଛନ୍ତି । ନିଜେ ଶୈଳେନ୍ଦ୍ର ଜଣେ ଉଦ୍ୟାନ ବିଭାଗର ସାଥୀ ଭାବେ କାର୍ଯ୍ୟ କରୁଛନ୍ତି । ସେଠାରୁ ବିଭିନ୍ନ ତାଲିମ ପାଇବା ପରେ ନିଜ ବାଡିରେ ଏଭଳି ବିଦେଶୀ ପିଜୁଳି ଫଳାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଆଦିବାସୀଙ୍କୁ ରୋଜଗାରର ବାଟ ଦେଖାଇଛି ମହୁଲ, ମିଳୁନି ଉଚିତ୍ ପ୍ରାପ୍ୟ
ଗତ ଦୁଇ ବର୍ଷ ତଳେ କୋରୋନା ଲକଡାଉନବେଳେ ବାହାରକୁ ନଯାଇ କିଛି ଗୋଟେ କରିବାକୁ ଚିନ୍ତା କରିଥିଲେ ଶୈଳେନ୍ଦ୍ର । ନିଜର ଥିବା ଜମିରେ ଚାଷ କରିବା ପାଇଁ ଚିନ୍ତା କରି ପିଜୁଳି ଚାଷ କରିବାକୁ ଯୋଜନା କରିଥିଲେ । ଏହାପରେ ନିଜ ବାଡିରେ ପିଜୁଳି ଚାରା ଲଗାଇ ଏବେ ଅମଳ କରିବାରେ ଲାଗିଛନ୍ତି । ପ୍ରତ୍ୟେକ ଦିନ ପିଜୁଳିକୁ ବିଭିନ୍ନ ସ୍ଥାନକୁ ରପ୍ତାନି ହୋଇଥାଏ । ଖାଲି ପିଜୁଳି ନୁହେଁ ଏବେ ବାଡିରେ ଆମ୍ବ, ଲେମ୍ବୁ, ପୋଖରୀରେ ମାଛ ଚାଷ କରି ଆତ୍ମନିର୍ଭର ଶୀଳ ହୋଇପାରିଛନ୍ତି ।
ଏଥିସହିତ ଅନେକ ବେକାର ଯୁବକମାନଙ୍କୁ ମଧ୍ୟ ନିଯୁକ୍ତି ଦେଇପାରିଛନ୍ତି । ନିଜେ ଜଣେ ଆଇନର ଛାତ୍ର ହୋଇ ମଧ୍ୟ ଚାଷ ପ୍ରତି ବିଶେଷ ଆଗ୍ରହ ଦେଖାଇବା ଏକ ବ୍ୟତିକ୍ରମ ନିଶ୍ଚୟ । ଶୈଳେନ୍ଦ୍ରଙ୍କ ଏହି ପିଜୁଳି ଫାର୍ମକୁ ଦେଖିବା ଓ ଖାଇବା ପାଇଁ ଅନେକ ସମୟରେ ଭିଡ ଜମୁଛି । ଏ ଦିଗରେ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି କରାଯାଉଛି ।
ଏନେଇ ଶୈଳେନ୍ଦ୍ର କହିଛନ୍ତି ଯେ, "କଲେଜ ସମୟରୁ ହିଁ ଚାଷ ପ୍ରତି ମୋର ଆଗ୍ରହ ରହିଥିଲା । ସେହି ସମୟରୁ ହିଁ ମୁଁ ଚାଷକରି ଆସୁଛି । ଚାଷକରି କିପରି ନିଜେ ସ୍ବାବଲମ୍ବି ହେବା ସହ ଅନ୍ୟକୁ ରୋଜଗାର ଯୋଗାଇହେବ ସେନେଇ ପିଲାବେଳୁ ଇଛା ଥିଲା । ତେଣୁ ଆଇନ ପାଠ ଛାଡି ଚାଷକରି ଭଲ ରୋଜଗାର କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଯୋଗାଇ ପାରୁଛି ।"
ଇଟିଭି ଭାରତ, ଯାଜପୁର