ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଶଙ୍ଖଚିଲା ଉଦୟପାଟଣା ଗାଁରେ ଅଭାବନୀୟ ଘଟଣା । ଜଣେ ଓକିଲଙ୍କ ଘରୁ ଗ୍ରୀଲ ଓ ଆଲମିରା ଲକର ଭାଙ୍ଗି ସୁନା ଅଳଙ୍କାର ଓ ଟଙ୍କା ଲୁଟ୍ ଅଭିଯୋଗ ।
ସୂଚନା ମୁତାବକ, ଉଦୟପାଟଣା ଗ୍ରାମର ଓକିଲ ବାସୁଦେବ ସେଠୀଙ୍କ ଚାମ୍ବର ଝରକା ଗ୍ରୀଲ ଭାଙ୍ଗି ଲୁଟେରାମାନେ ତାଙ୍କ ବେଡରୁମରେ ପଶିଥିଲେ । ଆଲମିରା ଲକର୍ ଭାଙ୍ଗି ପ୍ରାୟ 20 ଭରି ଓଜନର ସୁନା ଅଳଙ୍କାର ଲୁଟ କରିନେବା ସହ ଟଙ୍କା ଓ ମୋବାଇଲ ଫୋନ୍ ମଧ୍ୟ ନେଇଯାଇଥିଲେ । ସେତେବେଳେ ଓକିଲ ଶ୍ରୀ ସେଠୀ ତାଙ୍କ ପରିବାରଙ୍କ ସହ ଅନ୍ୟ ଏକ କୋଠରୀରେ ଶୋଇଥିଲେ ।
ବାସୁଦେବ ଯାଜପୁର ରୋଡ କୋର୍ଟରେ ଓକିଲାତି କରନ୍ତି । ଆଜି(ଶନିବାର) ସେ ବଡି ସକାଳେ ଗ୍ରୀଲ ଏବଂ ଆଲମିରା ଲକର୍ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ ।
ଏନେଇ ଶଙ୍ଖଚିଲା ଫାଣ୍ଡିରେ ବାସୁଦେବ ଲିଖିତ ଏତଲା ଦେବାପରେ ପୋଲିସ୍ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସେପଟେ ଯାଜପୁର ରୋଡ କୋର୍ଟର ଓକଲିମାନେ ବାସୁଦେବଙ୍କ ଘରେ ପହଞ୍ଚି ତାଙ୍କୁ ଆଶ୍ବାସନା ଦେବା ସହିତ ତୁରନ୍ତ ଏହି ଲୁଟ୍ ଘଟଣାର ତଦନ୍ତ କରି ପୋଲିସ୍ ଲୁଟେରାମାନଙ୍କୁ ଠାବ କରିବା ସହ ଲୁଟ୍ ସାମଗ୍ରୀ ଜବତ କରିବାକୁ ଦାବି ଜଣାଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ