ଯାଜପୁର: ଛଟେଇ ହେଉଛନ୍ତି ଡାଟା ଏଣ୍ଟ୍ରି ଅପରେଟର ଓ ପ୍ରୋଟୋକଲ ମ୍ୟାନେଜର । ଏପରିକି 7 ମାସର ବକେୟା ଦରମା ଓ ୮ବର୍ଷର ଏରିଅର ଟଙ୍କା ନ ଦେଇ ବିନା ନୋଟିସରେ ରାତି ଅଧିଆ ଚାକିରିରୁ ବାହାର କରିଦିଆଯାଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଯାଜପୁରର ବିଭିନ୍ନ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର 28 କର୍ମଚାରୀ ।
ଏ ନେଇ ସେମାନେ ଉତ୍ତେଜିତ ହେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ସେମାନେ ବକେୟା ପ୍ରାପ୍ୟ ଓ ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି । ଏଥିସହ ଏହାର ପୁର୍ନବିଚାର କରି ସେମାନଙ୍କ ପୁନଃଥଇଥାନ ନେଇ ଜଣାଇଯାଇଛି ।
ସୁଚନା ମୁତାବକ, ଭାରତ ସିକ୍ୟୁରିଟି ଏଜେନ୍ସି ଦ୍ବାରା ୨୮ ଜଣ ଶିକ୍ଷିତ ବେକାର ଯୁବପୀଢି ଜିଲ୍ଲାର ବିଭିନ୍ନ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାଟା ଏଣ୍ଟ୍ରି ଅପରେଟର ଓ ପ୍ରୋଟୋକଲ ମ୍ୟାନେଜର ଭାବେ ଦୀର୍ଘ ୮ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ । ହେଲେ ହଠାତ ସେମାନଙ୍କୁ ଦରମା ଓ ପ୍ରାପ୍ୟ ନ ଦେଇ ରାତିଅଧିଆ ଛଟେଇ କରାଯାଇଛି । ଯାହାକି ଯୁକ୍ତିଯୁକ୍ତ ନୁହେଁ ବୋଲି ସେମାନେ ଦାବି କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ