ଯାଜପୁର: କଳିଙ୍ଗନଗର ଥାନା ନିମପଲ୍ଲୀ ସୁରୀସାହିରେ ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣାରେ ପୋଲିସ 9 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 9 ଜଣ ଅଭିଯୁକ୍ତ ସେହି ଗାଁର ହୋଇଥିବା ବେଳେ ପୂର୍ବରୁ 4 ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି କଳିଙ୍ଗନଗର ପୋଲିସ।
ସୂଚନାଯୋଗ୍ୟ, ଗତ 20 ତାରିଖରେ ଗୁଣିଗାରେଡି ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ ଅତି ନିର୍ମମ ଭାବେ ପୋଡି ହତ୍ୟା କରାଯାଇଥିଲା। ଏହି ଘଟଣାରେ ମୃତ ଦମ୍ପତିଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରାଯିବା ସହ ଘରେ ବନ୍ଦ କରି ନିଆଁ ଲଗାଇ ଦେଇଥିବା ପୋଲିସ କହିଛି।
ଅଗ୍ନିଶମ ବିଭାଗ ଓ ପୋଲିସ ସେଠାରେ ପହଞ୍ଚିବା ପୂର୍ବରୁ ଘରଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା । ଏହା ସହ ପୋଲିସ ଘର ଭିତରେ ୨ ଜଣ ଲୋକ ମଧ୍ୟ ପୋଡି ଯାଇଥିବା ଦେଖିବାକୁ ପାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିବା ପରେ ଗୁଣିଗାରେଡି ସନ୍ଦେହରେ ଏହି ହତ୍ୟାକାଣ୍ଡ ହୋଇଥିବା ସୁରାକ ପାଇଥିଲା।
ଏହି ଘଟଣା ପରେ ସମ୍ପୂର୍ଣ୍ଣ ସୁରୀସାହି ଗାଁ ଜନଶୂନ୍ୟ ହୋଇଯାଇଥିଲା। ଫଳରେ ଯାଜପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ତେବେ ଅଦ୍ୟାବଧି ହତ୍ୟାକାଣ୍ଡରେ ସଂପୃକ୍ତ ସେହି ଗାଁର ଜଣେ ମହିଳାଙ୍କ ସମେତ 13 ଜଣଙ୍କୁ ଗିରଫ କରିଛି କଳିଙ୍ଗନଗର ପୋଲିସ।
ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଥିବା ନେଇ ଏସପି ଚରଣ ସିଂ ମୀନା କହିବା ସହ ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ସଂଘଟିତ ହୋଇଥିବା ସେ ପ୍ରକାଶ କରିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ