ଯାଜପୁର: ଜିଲ୍ଲାର କୋରାଇ ବ୍ଲକ୍ ବାରଦା ଗ୍ରାମର 65 ବର୍ଷୀୟ ସୁଲୋଚନା ଦାସ ଅସୁସ୍ଥ ସ୍ବାମୀଙ୍କୁ ହରାଇବା ପରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଝାଟି ମାଟି ଘରେ ରହୁଥିଲେ । ଏହି ଖବର ଇଟିଭି ଭାରତରେ ପ୍ରସାରଣ ହେବା ପରେ ସ୍ଥାନୀୟ ଜୟ ଜଗନ୍ନାଥ ଗ୍ରୁପ ଓଡ଼ିଶା ବୃଦ୍ଧାଙ୍କୁ ସହଯୋଗର ହାତ ବଢାଇଥିବା ଜଣାପଡିଛି ।
କୋରାଇ ବ୍ଲକ୍ ବାରଦା ଗ୍ରାମରେ 65 ବର୍ଷୀୟ ବୃଦ୍ଧା ସୁଲୋଚନା ମାଟି ଘରେ ଦୀର୍ଘ 12ବର୍ଷ ହେବ ରହି ଆସୁଥିଲେ । ବୃଦ୍ଧାଙ୍କ ସ୍ବାମୀ ଶ୍ବାସରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଛନ୍ତି । ଅସହାୟ ଅବସ୍ଥାରେ ସେହି ଝାଟି ମାଟି ଘରେ ନିଜ ଅବଶିଷ୍ଟ ଜୀବନକୁ ବୃଦ୍ଧା ବିତାଉଥିଲେ ।
ଦୃଷ୍ଟିଶକ୍ତି ହରାଇବା ସହ ଖାଦ୍ୟ ଅଭାବରୁ ଉପବାସରେ ମଧ୍ୟ କାଳତିପାତ କରୁଛନ୍ତି ବୃଦ୍ଧା । ବୃଦ୍ଧାଙ୍କ ଏହି ଦୁଃଖଦ ଜୀବନ ସଂପର୍କରେ ଇଟିଭି ଭାରତରେ ଖବର ପ୍ରସାରଣ ପରେ ସ୍ଥାନୀୟ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶାର ଯାଜପୁର ଜିଲ୍ଲା ସଭାପତି ଧନଞ୍ଜୟ ମିଶ୍ର, ଟୁକୁନା ଦାସ, ଗୟାଧର ସାହୁ ପ୍ରମୁଖ ତାଙ୍କୁ ସାହାଯ୍ୟ କରିଛନ୍ତି ।
ଡାଲି, ଚାଉଳ ଆଦି ଶୁଖିଲା ଖାଦ୍ୟ ସାମଗ୍ରୀ ଓ ନୂତନ ବସ୍ତ୍ର ଯୋଗାଇ ଦେଇଥିବା ବେଳେ ଯଥାଶୀଘ୍ର ସଂଗଠନ ପକ୍ଷରୁ କଟକ ନେଇ ଆଖି ଚିକିତ୍ସା କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାସହିତ ବୃଦ୍ଧାଙ୍କ ଘରର ମରାମତି କରିବେ ବୋଲି ମଧ୍ୟ କହିଛନ୍ତି । ସଂଗଠନର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ