ଯାଜପୁର: କୋରୋନା ମହାମାରୀ ଯୋଗୁ ଶିକ୍ଷା ବ୍ୟବସ୍ଥାରେ ବଡ କ୍ଷତି ହୋଇଛି । ଗୋଟିଏ ଶିକ୍ଷାବର୍ଷ ଏକ ପ୍ରକାର ନଷ୍ଟ ହେବାକୁ ବସିଥିବା ବେଳେ ଛାତ୍ରଛାତ୍ରୀ ନୂତନ ପାଠ୍ୟକ୍ରମ ପଢ଼ିବା ବଦଳରେ ଘରେ ଘରେ ବସି ବସି ଶିକ୍ଷାରୁ ମୁହଁ ଫେରାଇବା ଆରମ୍ଭ କଲେଣି । ଦୀର୍ଘ ୬ ମାସ ହେବ ସ୍କୁଲରେ ତାଲା ପଡିଥିବା ବେଳେ ଘରୋଇ ଟ୍ୟୁୟୁସନ ମଧ୍ୟ ବନ୍ଦ ରହିଥିଲା । ତେଣୁ ପାଠପଢାକୁ ନେଇ ଶିକ୍ଷକ ଠାରୁ ଅଭିଭାବକ ଏବଂ ଛାତ୍ରଛାତ୍ରୀ ସମସ୍ତେ ଦ୍ୱନ୍ଦରେ ପଡିଛନ୍ତି ।
ସରକାର ଅନଲାଇନ ଜରିଆରେ ସବୁ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଇଂଟରନେଟ୍ ମୋବାଇଲ ଏବଂ ଉତମ ମୋବାଇଲ ନେଟ ୱର୍କ ସବୁ ସ୍ଥାନରେ ସମ୍ଭବ ନଥିବାରୁ ଅନଲାଇନ ଶିକ୍ଷାରୁ ପାଖାପାଖି ୭୦ ଭାଗ ପିଲା ବଂଚିତ ହେଉଛନ୍ତିି । ଏହାରି ଭିତରେ ଶିକ୍ଷା ବିଭାଗର ରେଡିଓ ପାଠଶାଳା ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ସହାୟତା କରିବ ବୋଲି ଲକ୍ଷ୍ୟ ରଖାଯାଇଛି ।
ଗତ ୨୮ମାସ ୨୮ ତାରିଖ ଠାରୁ ରାଜ୍ୟ ସରକାର ସୋମବାର ଠାରୁ ଶୁକ୍ରବାର ଆକାଶବାଣୀ ଜରିଆରେ ଦିନ ୧୦ ଟାରୁ ୧୦,୧୫ ପର୍ଯ୍ୟନ୍ତ ଦୈନିକ ଦୁଇଟି କ୍ଲାସର ଭିନ୍ନଭିନ୍ନ ବିଷୟରେ ଶିକ୍ଷାଦାନ ଆରମ୍ଭ କରିଛନ୍ତି । ଯାହାକୁ କି ଯାଜପୁର ଶିକ୍ଷା ମଣ୍ଡଳ ପକ୍ଷରୁ ଆଗ୍ରହର ସହ ଛାତ୍ରଛାତ୍ରୀମାନଙ୍କ ପାଖରେ ପହଂଚିବାର ଉଦ୍ୟମ କରାଯାଇଛି । ବ୍ଲକର ଶେଷଦେବ ବାସନ୍ତୀ ହାଇସ୍କୁଲର ଶିକ୍ଷକମାନେ ଗାଁକୁଗାଁ ବୁଲି ମାଇକ ଜରିଆରେ ରେଡିଓ ସଂଯୋଗ କରି ଛାତ୍ରଛାତ୍ରୀମାନଙ୍କୁ ରେଡିଓ ପାଠଶାଳାରେ ପାଠ ପଢ଼ାଇବା ସହ ଦୈନିକ ଏହା ଜରିଆରେ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ପ୍ରବର୍ତାଉଛନ୍ତି ।
ସେମାନେ ପୂଜା ମଣ୍ଡପ, ଭାଗବତ ଟୁଙ୍ଗି ଆଜି ସ୍ଥାନରେ ରେଡିଓ ରଖି ସମ।।ଜିକକ ଦୂରତା ମଧ୍ୟରେ ୧୫ରୁ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଗ୍ରହଣର ବ୍ୟବସ୍ଥା କରାଇଛନ୍ତି । ତେବେ ଶିକ୍ଷା ଅବଧି ମାତ୍ର ୧୫ ମିନିଟ ରହିଥିବାରୁ ଏହାର ସମୟ ବଢ଼ାଗଲେ ଛାତ୍ରଛାତ୍ରୀମାନେ ଅଧିକ ଉପକୃତ ହୋଇପାରନ୍ତେ ବୋଲି ଅଭିଭାବକ ଓ ଶିକ୍ଷକ ମହଲରେ ଦାବି ହେଉଛି । ତଥାପି ସରକାରଙ୍କ ଏପରି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ ଯାଜପୁର ଶିକ୍ଷା ମଣ୍ଡପ ପକ୍ଷରୁ ଏହାର ପ୍ରଚାର ପାଇଁ କରାଯାଇଥିବା ଉଦ୍ୟମକୁ ପ୍ରଶାସନ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି ।
ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଆରମ୍ଭ କଲେ ରେଡିଓ ପାଠଶାଳା। ଏହି ପାଠଶାଳା ଆରମ୍ଭ ପରେ ପାଠ ପଢା ପାଇଁ ଛାତ୍ରଛାତ୍ରୀ ମନରେ ଆସିଛି ନୂତନ ଆଶା। ତେବେ ଏହି ରେଡ଼ିଓ ପାଠଶାଳା ପାଠ ପଢିବାରେ ଆଗାମୀ ଦିନରେ କେତେ ସହୟକ ହେଉଛି ଦେଖିବାରେ ଅଛି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ