ଯାଜପୁର: ଜିଲ୍ଲାରେ ପହଞ୍ଚିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ । ଜିଲ୍ଲାର ଦଶରଥପୁର ବ୍ଲକର ରାହସୋଇ ଅଞ୍ଚଳ ପରିଦର୍ଶନ କରି ବାତ୍ୟା ପ୍ରଭାବିତ ଚାଷୀ ମାନଙ୍କୁ ଭେଟିଥିଲେ । ଏବେବି ଶହ ଶହ ଏକର ଚାଷ ଜମିରେ ପାଚିଲା ଧାନ ବର୍ଷା ଜଳରେ ବୁଡି ଧାନ ସବୁ ଗଜା ହୋଇଯାଇଥିବା ଦେଖିବାକୁ ପାଇଥିଲେ । ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଚାଷୀ ମାନଙ୍କର ନାହିଁ ନଥିବା କ୍ଷତି ହୋଇଛି । କ୍ଷତିଗ୍ରସ୍ତ ଚାଷୀ ମାନେ କ୍ଷତିପୂରଣ ପାଇଁ ପ୍ରତିନିଧି ଦଳ ନିକଟରେ ଦାବି କରିଥିଲେ ।
ଚଳିତ ବାତ୍ୟା ପ୍ରଭାବରେ ଜିଲ୍ଲାରେ ଅନେକ ବ୍ଲକ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିଲା । ଜିଲ୍ଲାର ଦଶରଥପୁର, ବିଞ୍ଝାରପୁର, ଯାଜପୁର ସମେତ ଅଧିକାଂଶ ବ୍ଲକରେ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ । ବର୍ଷା ଜଳ ନିଷ୍କାସନ ହୋଇନପାରି ଧାନ ଫସଲ ନଷ୍ଟ ହୋଇଛି । ପ୍ରତିବର୍ଷ ଏହି ସମସ୍ୟା ହେଉଥିଲେ ହେଁ ଏଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହୋଇଛି । ସେପଟେ କେନ୍ଦ୍ରୀୟ ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ମାନଙ୍କ ସହିତ ଆଲୋଚନା କରି ଦୁଃଖ ପ୍ରକାଶ କରିଥିଲେ । ଚାଷୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯିବ ବୋଲି ପ୍ରତିନିଧି ଦଳ ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ପ୍ରତିନିଧି ଦଳ ବିଞ୍ଝାରପୁର ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲେ ହେଁ ଶେଷ ସମୟରେ ବାତିଲ ହୋଇଥିଲା । ଏହି ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହିତ ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ