ଯାଜପୁର: ସରକାରୀ କାର୍ଯ୍ୟାଳୟ ପାଲଟିଛି ପାର୍କ । ସୁନ୍ଦର ପରିବେଶ ସାଙ୍ଗକୁ ଭଳିକି ଭଳି ଫୁଲ ସାଜିଛି ଆକର୍ଷଣର କେନ୍ଦ୍ର ବିନ୍ଦୁ । ଏହି ସରକାରୀ କାର୍ଯ୍ୟାଳୟକୁ ଆସିଲେ ଏହାର ଦୃଶ୍ୟ ଦେଖି ମନ ପ୍ରଫୁଲ୍ଲିତ ହୋଇଉଠିବ । ସକାଳ ହେଉ ବା ସନ୍ଧ୍ୟା ଏହି ପରିବେଶକୁ ଉପଭୋଗ କରିବା ପାଇଁ ପ୍ରତ୍ୟେକ ଲୋକଙ୍କ ଭିଡ଼ ଜମିଥାଏ । ଏ ହେଉଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କାର୍ଯ୍ୟାଳୟର ମନୋରମ ଦୃଶ୍ୟ । ତେବେ ଏହା ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଉମାକାନ୍ତ ପରିଡାଙ୍କ ଉଦ୍ୟମ ଯୋଗୁଁ ସମ୍ଭବ ହୋଇ ପାରିଛି ।
କାର୍ଯ୍ୟାଳୟ ପରିସରରେ ଲାଗିଛି ଧାଡ଼ିକି ଧାଡ଼ି ରଙ୍ଗ ବେରଙ୍ଗର ଫୁଲ । ଯେକେହି ଭିତରକୁ ଯାଉଛି ତାକୁ ପାର୍କ ଭିତରେ ପ୍ରବେଶ କଲା ଭଳି ମନେ ହେଉଛି । ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲକୁ ଦେଖି ମନ ପ୍ରଫୁଲ୍ଲିତ ହେବା ସହ ଆସିଥିବା ଲୋକ କିଛି କ୍ଷଣ ପାଇଁ ଅଟକି ଯାଉଛନ୍ତି । ବିଡିଓ ଉମାକାନ୍ତ ପରିଡାଙ୍କ ଉଦ୍ୟମରେ ବ୍ଲକ ପରିସରକୁ ଏଭଳି ଆକର୍ଷଣୀୟ କରାଯାଇଛି । ପଦରେ ବସି ନିଜ ଦାୟିତ୍ବ ଗ୍ରହଣ କରିବା ସହ ତାଙ୍କ ଚତୁଃପାର୍ଶ୍ବକୁ ସୁନ୍ଦର କରି ପାରିଛନ୍ତି । ଗଛ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିବା ସେ କହିଛନ୍ତି ।
ନିଜର କର୍ତ୍ତବ୍ୟ ସଂପାଦନା ସହ ସମୟ ବାହାର କରି ବୃକ୍ଷରୋପଣକୁ ଗୁରୁତ୍ବ ଦେଇ ଏଭଳି ପରିବେଶ ସୃଷ୍ଟି କରିପାରିଛନ୍ତି । ପ୍ରତ୍ୟେହ ବ୍ଲକକୁ ଆସି ନିଜର ଦାୟିତ୍ବ ସଂପାଦନା କରିବା ସହ ଲାଗିଥିବା ଗଛ ଗୁଡିକର ଦେଖାଶୁଣା କରିଥାନ୍ତି । ସରକାରୀ ଯୋଜନାର ସଫଳ ରୂପାୟନ ସହ କାର୍ଯ୍ୟାଳୟ ପରିସରକୁ ସୁନ୍ଦର କରି ସେ ଲୋକଙ୍କୁ ଆକୃଷ୍ଟ କରି ପାରିଛନ୍ତି । ବିଭିନ୍ନ ସମସ୍ୟା ଓ ଅଭିଯୋଗ ନେଇ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ସହ ଲୋକଙ୍କୁ ପରିବେଶ ପ୍ରତି ଆକୃଷ୍ଟ କରାଇବା ହେଉଛି ତାଙ୍କର ମୂଳ ଲକ୍ଷ୍ୟ ।
ଉମାକାନ୍ତ ପରିଡ଼ାଙ୍କ ପରାମର୍ଶ ଓ ଉଦ୍ୟମକ୍ରମେ ଏନେକ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରିଛି । ରସୁଲପୁର ବ୍ଲକରେ ଥିବା ୨୮ ଟି ପଞ୍ଚାୟତରେ ସେ ପ୍ଲାଣ୍ଟେସନ ପ୍ରୋଗ୍ରାମ ଆରମ୍ଭ କରିଛନ୍ତି । ଏଥିସହ ବ୍ଲକର ଦନେଇପୁର, ଆଦମପୁର, ଲକ୍ଷ୍ମୀନଗର, ମୁଗପାଳ ଭଳି ସ୍ଥାନରେ ଗ୍ରାମୀଣ ପାର୍କ ପ୍ରତିଷ୍ଠା କରିପାରିଛନ୍ତି । ତାଙ୍କ ଉଦ୍ୟମକ୍ରମେ ରସୁଲପୁର ବ୍ଲକରେ ପାଖାପାଖି ୫ଶହ ଏକରରୁ ଅଧିକ ଜାଗାରେ ପ୍ଲାଣ୍ଟେସନ ହୋଇପାରିଛି । ଅପରିଚ୍ଛନ୍ନ ହୋଇ ପଡ଼ିରହିଥିବା ସ୍ଥାନ ମାନଙ୍କରେ ବିଭିନ୍ନ ଫୁଲ, ଫଳ, ନଡ଼ିଆ ଗଛ ଏବଂ ଜଙ୍ଗଲଜାତୀୟ ଗଛ ଲଗାଯାଇଛି । ବ୍ଲକ ପରିସରରେ ଏଭଳି ପରିବେଶକୁ ଦେଖି ସେହି ବ୍ଲକର ସମସ୍ତ ଜନସାଧାରଣ ବିଡିଓଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
ଉମାକାନ୍ତ ପରିଡ଼ାଙ୍କ ଏଭଳି ଉଦ୍ୟମ ସାରା ଯାଜପୁର ଜିଲ୍ଲାରେ ଉଦାହରଣ ସୃଷ୍ଟି କରି ପାରିଛି । ନିଜର ଦାୟିତ୍ବକୁ ସଠିକ ଭାବେ ତୁଲାଇବା ସହ ପରିବେଶର ରକ୍ଷଣାବେକ୍ଷଣ କରିବା ତାଙ୍କୁ ଏକ ପ୍ରକୃତି ପ୍ରେମୀର ପରିଚୟ ଦେଇଛି । ସରକାରୀ ଯୋଜନାର ସଫଳ ରୂପାୟନ ହେବା ସହ ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ସୃଷ୍ଟି କରିପାରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ