ଯାଜପୁର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଳାଇ ଆନ୍ଦୋଳନ କଲା ବଡଚଣା କଂଗ୍ରେସ । ବଡଚଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ସମାବେଶ ପରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ରାଜନାରାୟଣ ମହାପାତ୍ରଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଏଥିରେ ସାମିଲ ହୋଇଥିଲେ । ଏଥିସହ କଂଗ୍ରେସର କର୍ମକର୍ତ୍ତା ଓ ବରିଷ୍ଠ ନେତୃତ୍ବ ଗଣ ସମାବେଶରେ ସାମିଲ ହୋଇଥିଲେ ।
ବିକ୍ଷୋଭ ପ୍ରଦର୍ଶନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା କଂଗ୍ରେସ । ପୋଲିସ କର୍ମୀଙ୍କ ଗୁଳିରେ ନବ ଦାସଙ୍କ ମୃତ୍ୟୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କଂଗ୍ରେସ ନେତା ଚେଲା କୁମାର ଅଭିଯୋଗ କରିଥିଲେ । ବଡଚଣା ବ୍ଲକରେ ବିଭିନ୍ନ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ବେଳେ ଏହାର ପ୍ରତିବାଦରେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ,ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ, ଜୟଦେବ ଜେନାଙ୍କ ସମେତ ଜିଲ୍ଲାର ଅନେକ ବରିଷ୍ଠ ନେତା ଯୋଗଦେଇଥିଲେ।
ଜିଲ୍ଲାର 7ଟି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ଅନ୍ୟାୟ, ଅତ୍ୟାଚାର,ଭଷ୍ଟ୍ରାଚାର ଓ ଦୁର୍ନୀତି ବଢିଚାଲିଥିବା କଂଗ୍ରେସ ନେତା ମାନେ ମତ ରଖିଥିଲେ । ଆଗାମୀ ଦିନରେ କିଭଳି ଯାଜପୁର ଜିଲ୍ଲାର 7ଟି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳକୁ ଶକ୍ତିଶାଳୀ କରାଯିବ ସେନେଇ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଦଳୀୟ ନେତା ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାର କୋରେଇ, ଧର୍ମଶାଳା, ବାରିଦଶରଥପୁର, ସୁକିନ୍ଦା, ଦାନଗଦି, ରସୁଲପୁର, ବିଞ୍ଝାରପୁର,ବରୀ ଓ ବଡ଼ଚଣା ଅଞ୍ଚଳର ହଜାର ହଜାର କଂଗ୍ରେସ କର୍ମୀ ସାମିଲ ହେଇଥିଲେ l
ନିକଟରେ ବଲାଙ୍ଗୀରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ନେଇ ଛାତ୍ର କଂଗ୍ରେସ ତରଫରୁ ଆନ୍ଦୋଳନ କରାଯାଇଥିଲା । ସେହିପରି ଭଦ୍ରକରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ନେଇ ବିଜେପି ପକ୍ଷରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା । ଯେଉଁଥିରେ ଅନେକ ବିଜେପି କର୍ମୀ ସାମିଲ ହୋଇଥିଲେ। ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି ବୋଲି ବରିଷ୍ଠ ବିଜେପି ନେତା ମତ ପ୍ରକାଶ କରିଥିବା ବେଳେ ରାଜ୍ୟରେ ପ୍ରତିଦିନ ନଅଟି ଦୁଷ୍କର୍ମ ମାମଲା ରୁଜୁ ହେଉଥିବା ନେଇ ଅଭିଯୋଗ ହୋଇଥିଲା ।
ଇଟିଭି ଭାରତ, ଯାଜପୁର