ଯାଜପୁର: ନିର୍ବାହୀ ଅଧିକାରୀଙ୍କ ଉପରକୁ ବ୍ୟାସନଗର ପୌରାଧ୍ୟକ୍ଷା ଫାଇଲ ଫିଙ୍ଗିବା ଘଟଣା । ଯାଜପୁର ରୋଡ ଥାନାରେ ଦ୍ବିତୀୟ ଏତଲା ଦେଲେ ନିର୍ବାହୀ ଅଧିକାରୀ । ଶୁକ୍ରବାର ବିଳମ୍ବିତ ରାତିରେ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଥାନାରେ ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ ଆଉ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଦ୍ବିତୀୟ ଏତଲା ପରେ ପୋଲିସ ମଧ୍ୟ ନିର୍ବାହୀ ଅଧିକାରୀଙ୍କ ବୟାନ ରେକର୍ଡ କରିବା ସହିତ ଏହି ଘଟଣା ସମୟରେ ଉପସ୍ଥିତ ଥିବା କାଉନସିଲର, ପୌର କର୍ମଚାରୀ ଓ ଅଭିଯୋଗ କରିବାକୁ ଆସିଥିବା ନୀଳାଚଳ କଲୋନୀବାସୀଙ୍କ ବୟାନ ରେକର୍ଡ କରିଛି ।
ସୂଚନା ମୁତାବକ, ଯାଜପୁର ସହରର ୮ ନମ୍ବର ୱାର୍ଡରେ ଏକ ମୋବାଇଲ ଟାୱାର ନିର୍ମାଣ ପାଇଁ ଏନଓସି ଦେବାକୁ ନେଇ ବ୍ୟାସନଗର(Vyasanagar Municipality) ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ନିର୍ବାହୀ ଅଧିକାରୀ ଅଶୋକ କୁମାରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ପୌରାଧ୍ୟକ୍ଷା ନିର୍ବାହୀ ଅଧିକାରୀଙ୍କ ଉପରକୁ ଏକ ଫାଇଲ ଫିଙ୍ଗି ଥିଲେ l ଏହି ଘଟଣାଟି ଗତମାସରେ ଘଟିଥିବାବେଳେ ବର୍ତ୍ତମାନ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି କାରଣରୁ ତାଙ୍କ ସମ୍ମାନହାନୀ ହୋଇଥିବା ଅଭିଯୋଗରେ ନିର୍ବାହୀ ଅଧିକାରୀ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଗତ ୧୬ ତାରିଖରେ ସେ ପ୍ରଥମେ ଅଭିଯୋଗ କରିଥିବାବେଳେ, ଗତକାଲି ପୁଣିଥରେ ଏତଲା ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିବା ଘଟଣା: ପୌରାଧ୍ୟକ୍ଷାଙ୍କ ଗିରଫ ଦାବି କଲା ବିଜେପି
ଉଲ୍ଲେଖଯୋଗ୍ୟ, ସହରର ୮ ନମ୍ବର ୱାର୍ଡରେ ଜିଓ ଟାୱାର ସ୍ଥାପନ କରିବା ନିମନ୍ତେ ୱାର୍ଡବାସୀ ପୌର ଅଧିକାରୀଙ୍କୁ ଅନୁମତି ମାଗିଥିଲେ । ପୌରପରିଷଦ ପକ୍ଷରୁ ଏ ବିଷୟରେ ତଦନ୍ତ କାରାଯିବା ପରେ ପୌର ନିର୍ବାହୀ ଅଧିକାରୀ(EO) ଆଶୋକ କୁମାର ରାଉତ ଅନୁମତି ଦେବା ସହିତ ୮ ନମ୍ବର ୱାର୍ଡର କାଉନସିଲର ଅଶୋକ ଦାସ ମଧ୍ୟ ଏହି ଆବେଦନ ପତ୍ରରେ ଦସ୍ତଖତ କରିଛନ୍ତି । ପରେ ଉକ୍ତ ୱାର୍ଡର ଆଉ କିଛି ବାସିନ୍ଦା ଏହି ଟାୱାର ନିର୍ମାଣକୁ ବିରୋଧ କରି ଅଧ୍ୟକ୍ଷାଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାକୁ ନେଇ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଇଓ ଆଶୋକ କୁମାର ରାଉତଙ୍କୁ ଘଟଣା ସମ୍ପର୍କରେ ପଚାରିବା ସହିତ ଉତ୍କ୍ଷିପ୍ତ ହୋଇ ଅଶାଳୀନ ବ୍ୟବହାର କରିବା ସହ ତାଙ୍କ ଉପରକୁ ଫାଇଲ ଫିଙ୍ଗିଥିଲେ ।
ଇଟିଭି ଭାରତ, ଯାଜପୁର