ଯାଜପୁର: ଜିଲ୍ଲା ହ୍ୟାଣ୍ଡବଲ ଅସୋସିଏସନର ରୌପ୍ୟ ଜୟନ୍ତୀ ଅବସରରେ ଛତିଆ ଠାରେ ଉଦ୍ଘାଟିତ ହୋଇଯାଇଛି ସର୍ବଭାରତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ୮ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତାରେ ଓଡିଶା ସମେତ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ପଣ୍ଡିଚେରୀ, ବିହାର ଆଦି ରାଜ୍ୟର ମହିଳା ଓ ପୁରୁଷ ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି । ଉଦ୍ଘାଟନୀ ସମାରୋହରେ କ୍ରୀଡାମନ୍ତ୍ରୀ ଯୋଗଦେଇଥିବା ବେଳେ ଏହି ପ୍ରତିଯୋଗିତା ୩ଦିନ ଧରି ଚାଲିବ ।
ଯାଜପୁର ଛତିଆ ସ୍ଥିତ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ସର୍ବଭାରତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା । ଉଦ୍ଘାଟନୀ ମ୍ୟାଚର ପୁରୁଷ ବିଭାଗରେ ପୁରୀକୁ ଘରୋଇ ଯାଜପୁର ପରାସ୍ତ କରିଥିବା ବେଳେ 2ୟ ମ୍ୟାଚରେ କେନ୍ଦୁଝର ଦଳ ଆନ୍ଧ୍ରକୁ ପରାସ୍ତ କରିଥିଲା । ସେହିପରି ମହିଳା ବିଭାଗରେ ଯାଜପୁର ଟିମ୍ ଆନ୍ଧ୍ରକୁ ପରାସ୍ତ କରିଥିବା ବେଳେ କଟକକୁ ଜଗତସିଂହପୁର ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନତି ହୋଇଛି ।
ପ୍ରଥମ ଥର ପାଇଁ ଏଭଳି ଖେଳ ଆୟୋଜନକୁ ନେଇ ଉଭୟ ଆୟୋଜକ ଓ ଖେଳାଳୀମାନେ ବେଶ୍ ଉତ୍ସାହିତ ଅଛନ୍ତି । ଏହି ଅବସରରେ ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନର ୨୫ବର୍ଷ ପୂର୍ତ୍ତି ସମାରୋହକୁ ରାଜ୍ୟ କ୍ରୀଡା, ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଅନ୍ୟତମ ଅତିଥିଭାବେ ଖଣ୍ଡପଡା ବିଧାୟକ ସୈାମ୍ୟରଂଜନ ପଟ୍ଟନାୟକ, ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ପ୍ରମୁଖ ଯୋଗଦେଇ ଛତିଆକୁ ହ୍ୟାଣ୍ଡବଲ ଖେଳର ପ୍ରାଣକେନ୍ଦ୍ର ବୋଲି ବର୍ଣ୍ଣନା କରିବା ସହ ଏହି ଖେଳର ବିକାଶ ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଥିବା କହିଥିଲେ ।
ଯାଜପୁରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ