ଯାଜପୁର: ଭାଙ୍ଗିଛି ଜିଲ୍ଲା ପ୍ରଶାସନର ନିଦ । ଦେଖା ଦେଇଛି ପ୍ରଶାସନିକ ତତ୍ପରତା । ମାସ ମାସ ଧରି ଯେଉଁ ଗାଁକୁ ବିଜୁଳି ସଂଯୋଗ ନଥିଲା ଆଜି ସେଠାରେ ଟ୍ରାନ୍ସଫର୍ମର ଚାର୍ଜ ହେବା ସହ ଆରମ୍ଭ ହୋଇଛି ବିଦ୍ୟୁତ ସେବା । ଘରେ ଘରେ ଜଳିଛି ବିଦ୍ୟୁତ୍ ବଲ୍ବ । ଖୁସି ପ୍ରକାଶ କରିଛନ୍ତି ଗ୍ରାମବାସୀ । ଏ ହେଉଛି ନଗଡାରେ 6 ଅଧିକାରୀଙ୍କୁ ଲୋକାୟୁକ୍ତଙ୍କ ଦ୍ବାରା ନୋଟିସ ଜାରି ହେବାର ପରବର୍ତ୍ତୀ ଦୃଶ୍ୟ ।
ନଗଡା ବିକାଶରେ ଅର୍ଥନୈତିକ ଅନିୟମିତତା ଅଭିଯୋଗକୁ ନେଇ ସମ୍ପୃକ୍ତ 6 ଅଧିକାରୀଙ୍କୁ ଲୋକାୟୁକ୍ତ ଜାରି କରିଥିଲେ ନୋଟିସ । ଯାହାକୁ ନେଇ ରାତାରାତି ଦେଖିବାକୁ ମିଳିଛି ପ୍ରଶାସନିକ ତତ୍ପରତା । ଫଳରେ ମାସ ମାସ ଧରି ଝୁଲି ରହିଥିବା ବିଦ୍ୟୁତ ଯୋଗାଣ କାର୍ଯ୍ୟ ଶେଷ ହୋଇ ଚାର୍ଜ ହୋଇଛି ଟ୍ରାନ୍ସଫର୍ମର । ସେପଟେ ବିଜୁଳି ବତୀର ସୁବିଧା ପାଇ ଖୁସି ବ୍ୟକ୍ତ କରିଛନ୍ତି ନଗଡାବାସୀ ।
ଏଥିସହ ଭାରାପ୍ରାପ୍ତ ଜିଲ୍ଲାପାଳଙ୍କ ନେତୃତ୍ବରେ ଗୁରୁବାର ପ୍ରଶାସନିକ ଅଧିକାରୀମାନଙ୍କର ଆରମ୍ଭ ହୋଇଛି ନଗଡାର ବାସ୍ତବ ଚିତ୍ର ଅନୁଧ୍ୟାନ କାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ଉପର ନଗଡାରେ ବିଦ୍ୟୁତ ସବଷ୍ଟେସନକୁ ଚାର୍ଜ କରାଯାଇ ବିଦ୍ୟୁତ ସେବାର ଶୁଭାରମ୍ଭ କରାଯାଇଥିବା ବେଳେ ଆସନ୍ତା 5 ଦିନ ମଧ୍ୟରେ ମଝି ଓ ତଳ ନଗଡାରେ ବିଦ୍ୟୁତ ସଂଯୋଗ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଲୋକାୟୁକ୍ତଙ୍କ ନୋଟିସ ଜାରି ପରେ ପ୍ରଶାସନିକ ତତ୍ପରତାକୁ ନେଇ ଭିନ୍ନ ଭିନ୍ନ ମହଲରେ ଆରମ୍ଭ ହୋଇଛି ଭିନ୍ନ ଭିନ୍ନ ଚର୍ଚ୍ଚା । ତେବେ ନଗଡା ବିକାଶରେ କେତେ ଏବଂ କେଉଁ ପ୍ରକାରର ଅର୍ଥନୈତିକ ଅନିୟମିତତା ହୋଇଛି ତାହା ଯାଞ୍ଚ ପରେ ହିଁ ଜଣା ପଡିବ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ