ଯାଜପୁର: ତିନିଦିନିଆ ଯାଜପୁର ଜିଲ୍ଲା ଗସ୍ତ କରି ଦିଲ୍ଲୀ ଫେରିଯାଇଛନ୍ତି କେନ୍ଦ୍ରୀୟ ଟିମ । ଡକ୍ଟର ମହେଶ ୱଘମାରେଙ୍କ ନେତୃତ୍ବରେ ଆସିଥିବା ଏହି ଟିମ ତିନିଦିନ ଧରି ଯାଜପୁରର ବିଭିନ୍ନ କଣ୍ଟେନମେଣ୍ଟ ଅଞ୍ଚଳ ବୁଲି ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ହାସଲ କରିଥିଲେ ।
ଦଶରଥପୁର ଅଞ୍ଚଳର କଟିକଟା, ରସୁଲପୁର ବ୍ଲକର ସଦନନ୍ଦପୁର, ବିଞ୍ଝାରପୁର, ବରୀ ଆଦି ସମସ୍ତ କଣ୍ଟେନମେଣ୍ଟ ଏରିଆ ବୁଲିବା ସହ ସେଠାରେ ଥିବା ଲୋକଙ୍କ ସହ ଆଲୋଚନା କରିଥିଲେ । ପଜିଟିଭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ଲୋକମାନଙ୍କ ସହ ହଠାତ ନମିଶି କିଛିଦିନ ଦୂରତା ରଖିବା ନିମନ୍ତେ ପରାମର୍ଶ ଦେଇଥିଲେ ।
ଡୁବୁରୀ ସ୍ଥିତ ଟାଟା କୋବିଡ଼ ହସ୍ପିଟାଲ ବୁଲି କିଭଳି ଭାବେ ପଜିଟିଭ ଆକ୍ରାନ୍ତଙ୍କ ସେବା ଯୋଗାଇ ଦିଆଯାଉଛି ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିଥିଲେ । ଆଜି ମଧ୍ୟାହ୍ନରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ସ୍ଵାସ୍ଥ୍ୟ ବିଭାଗର ପ୍ରମୁଖ ଅଧିକାରୀମାନଙ୍କ ସହ ଆଲୋଚନା କରି ଭୁବନେଶ୍ବର ଫେରିଯାଇଛନ୍ତି । ଏହାପରେ ସେମାନେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ ସେମାନଙ୍କର ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ