ଯାଜପୁର: ବାପାମାଆ ସ୍ବପ୍ନ ଦେଖିଥାନ୍ତି ପୁଅଝିଅ ବଡ ହୋଇ ତାଙ୍କ ଦାୟିତ୍ବ ନେବେ । ପରିଣତ ବୟସରେ ଆଶ୍ରାବାଡି ହୋଇ ସେମାନଙ୍କ ପାଖେ ପାଖେ ରହିବେ । ହେଲେ କେତେକ ସ୍ଥାନରେ ବିଡମ୍ବନା ଦେଖିବାକୁ ମିଳୁଛି । କେଉଁଠି ବାପାମାଆଙ୍କୁ ବୃଦ୍ଧା ଆଶ୍ରମରେ ନେଇ ଛାଡି ଦେଉଛନ୍ତି ତ ଆଉ କେଉଁଠି ସମ୍ପତ୍ତି ବାଡି ନିଜ ନାଁରେ କରିଦେଇ ଘରୁ ବାହାର କରି ଦେଉଛନ୍ତି । ଏପରି ଏକ ଜ୍ବଳନ୍ତ ଉଦାହରଣ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସିଂହପୁର ଗାଁରେ ଦେଖିବାକୁ ମିଳିଛି ।
ଅଞ୍ଚଳର ବାସୁଦେବ ପାଣିଙ୍କ ବଡପୁଅ ଏବଂ ବୋହୂ ତାଙ୍କୁ ଘରୁ ବାହାର କରିଦେଇଛନ୍ତି । ତେବେ ପୁଅବୋହୂଙ୍କ ଠାରୁ ଅବହେଳିତ ହୋଇ 94 ବର୍ଷୀୟ ବୃଦ୍ଧ ବାପା ନିଜେ ଥାନାରେ ଏନେଇ ଏତଲା ଦେଇଛନ୍ତି । ଅଭିଯୋଗ ଅନୁଯାୟୀ ବାସୁଦେବଙ୍କ ବଡପୁଅ ଚଞ୍ଚକତା କରି ସମ୍ପତ୍ତି ବାଡି ତାଙ୍କ ନାରେ କରିଦେବା ପରେ ତାଙ୍କୁ ଘରୁ ବାହାର କରିଦେଇଛନ୍ତି ।
ପୁଅବୋହୂ ଶାରୀରିକ ନିର୍ଯ୍ୟାତନା ଦେଇ ଘରୁ ବାହାର କରିଦେବା ପରେ ବାସୁଦେବ ପଡୋଶୀ ଘରେ ଆଶ୍ରୟ ନେଇଥିଲେ । ପରେ କେତକ ସ୍ବେଚ୍ଛାସେବୀ ତାଙ୍କୁ ସାହାଯ୍ୟ କରିଛନ୍ତି । ତେବେ ବାସୁଦେବ ଏନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ କୌଣସି ନ୍ୟାୟ ମିଳିପାରି ନାହିଁ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ