ଯାଜପୁର: କାର୍ଯ୍ୟରେ ଥିବା ସମୟରେ ମଦ୍ୟପାନ କରିବା ପଡିଲା ମହଙ୍ଗା । ନିଲମ୍ବିତ ହେଲେ ୪ ପୋଲିସ କର୍ମଚାରୀ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ଫାଣ୍ଡିର ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଯାଜପୁର ଏସପି ରାହୁଲ ପିଆର । ସେମାନଙ୍କ ମଧ୍ୟରେ ୨ ଜଣ କନଷ୍ଟେବଳ ତପନ ଦାସ, ସଞ୍ଜୟ ଭୋଳ ଅଛନ୍ତି ।
ଏହାବ୍ୟତୀତ ଅନ୍ୟ ୨ଜଣ ଓଏପିଏଫ ଯବାନ ହେଉଛନ୍ତି ବେଣୁଧର ଖଟୁଆ ଓ ଅନନ୍ତ ଚରଣ ସାମଲ । ଫାଣ୍ଡିରେ ଡ୍ୟୁଟି କରୁଥିବା ସମୟରେ ମଦ୍ୟପାନ କରିଥିବାରୁ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନା ଅନୁଯାୟୀ ଗତ ୧୯ ତାରିଖ ସନ୍ଧ୍ୟାରେ ଯାଜପୁର ଏସପି ରାହୁଲ ପିଆର କଟକରୁ ଯାଜପୁର ଫେରୁଥିବା ସମୟରେ ଜାରକା ନିକଟରେ ରାସ୍ତାରେ ପ୍ରବଳ ଭିଡ ଥିବାରୁ ସେଠାରେ ଅଟକିଥିଲେ । ରାସ୍ତାକଡରେ ଥିବା ଜାରକା ଫାଣ୍ଡିକୁ ଏସପି ଅଚାନକ ପଶି ଯାଇଥିଲେ। ସେହି ସମୟରେ ଫାଣ୍ଡିରେ ଉପସ୍ଥିତ ଥିବା ୨ ଜଣ କନଷ୍ଟେବଳ ଓ ୨ ଜଣ ଓଏପିଏଫ୍ ଯବାନ ମଦ୍ୟପାନ କରିଥିବା ଏସପି ସେମାନଙ୍କ କଥାବାର୍ତ୍ତା ଓ ମଦଗନ୍ଧରୁ ଜାଣି ପାରିଥିଲେ ।
ଏହାପରେ ଏସପି ସେମାନଙ୍କୁ ଧର୍ମଶାଳା ଥାନାକୁ ପଠାଇବା ସହ ସେମାନଙ୍କର ମେଡ଼ିକାଲ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ସେମାନେ ମଦ୍ୟପାନ କରିଥିବା ସ୍ପଷ୍ଟ ହୋଇଥିଲା । ତେବେ ଏହି ଆଧାରରେ ଶନିବାର ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି । ସବୁଠୁ ବଡ କଥା ହେଉଛିକି ଜାତୀୟ ରାଜପଥ କଡରେ ଉକ୍ତ ଫାଣ୍ଡିରେ ପ୍ରତିଦିନ ଫାଣ୍ଡି କର୍ମଚାରୀଙ୍କ ସହ କିଛି ଲୋକଲ ମଦୁଆଙ୍କ ଆଡ୍ଡା ଚାଲିଥିବା ଚର୍ଚ୍ଚା ହେଉଥିଲା । ମାତ୍ର ବର୍ତ୍ତମାନ ଯାଜପୁରର ନୂଆ ଏସପି ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ