ଯାଜପୁର: ଗତ ଏପ୍ରିଲ 29 ତାରିଖ ଚତୁର୍ଥ ପର୍ଯ୍ୟାୟ ମତଦାନରେ ଯାଜପୁର ଲୋକସଭା ଏବଂ ଏହା ଅଧିନସ୍ଥ ବିଧାନସଭା ଆସନ ପାଇଁ ହୋଇଥିଲା ଭୋଟଗ୍ରହଣ । ମାତ୍ର କେତେକ ନିର୍ବାଚନମଣ୍ଡଳୀରେ ବୁଥ ରିଗିଂ ହୋଇଥିବାର ଅଭିଯୋଗ ଆସିବା ପରେ ସାନି ମତଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।
ଜିଲ୍ଲାର ବିଞ୍ଝାରପୁର, ବରୀ, ସୁକିନ୍ଦା, ଧର୍ମଶାଳା ଆଦି 4ଟି ନିର୍ବାଚନମଣ୍ଡଳୀର 9ଟି ବୁଥରେ ରିଗିଂ ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବିଭିନ୍ନ ତଥ୍ୟ ପ୍ରମାଣକୁ ଆଧାର କରି ଏହି ୯ଟି ବୁଥରେ ସାନି ମତଦାନ କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ(ଇସି) ସୁପାରିଶ କରିଥିଲେ।
ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଇସି ବିଞ୍ଝାରପୁରର ୧୩୫ ଏବଂ ୧୯୧, ବରୀର ୮୨,୧୫୮, ୧୬୨,୧୬୩ ଏବଂ ୧୯୪, ଧର୍ମଶାଳାର ୧୪୮ ଏବଂ ସୁକିନ୍ଦାର ୧୯୬ ନମ୍ବର ବୁଥରେ ସାନି ମତଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୯ ତାରିଖ ରବିବାର ସପ୍ତମ ପର୍ଯ୍ୟାୟରେ ଉପରୋକ୍ତ ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ କରାଯିବ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ