ଯାଜପୁର: ଦବଙ୍ଗଗିରି ପାଇଁ ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ। ଦାନଗଦୀ ଫାଣ୍ଡିର ଜଣେ ଏଏସଆଇ ଓ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କଲେ ଯାଜପୁର ଏସପି ଚରଣ ସିଂ ମୀନା । ପୋଲିସ ପାଟ୍ରୋଲିଂ ବେଳେ ସାଧାରଣ ଲୋକଙ୍କୁ ମାଡ ମାରି ଆହତ କରିବା ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିବା ପରେ ଏସପି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ମାଡ ମାରିବା ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଫାଣ୍ଡି ସମ୍ମୁଖରେ ପୋଲିସ କର୍ମଚାରୀଙ୍କ ନିଲମ୍ବନ ଦାବି କରି ଧାରଣା ମଧ୍ୟ ଦେଇଥିଲେ । ତେବେ ଆହତ ବ୍ୟକ୍ତିଙ୍କ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ପାଇଁ ଏସପି ନିର୍ଦ୍ଦେଶ ଦେଇଥିଲେ ।
ପରେ ତଦନ୍ତ ରିପୋର୍ଟକୁ ଆଧାର କରି ଏସପି ଏହି ଦୁଇ କର୍ମଚାରୀଙ୍କୁ ନିଲମ୍ବନ ଆଦେଶ ଦେଇଥିବା ସୂଚନା ମିଳିଛି । ନିଲମ୍ବିତ ଦୁଇ ପୋଲିସ୍ କର୍ମଚାରୀ ଏଏସଆଇ ମନୋରଞ୍ଜନ ନାୟକ ଓ କନଷ୍ଟେବଳ କାର୍ତ୍ତିକ ମଲ୍ଲିକ୍ ବୋଲି ଜଣାପଡିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ