ଜଗତସିଂହପୁର : ମୋବାଇଲରେ ଅନଲାଇନ୍ ଗେମ୍ ନେଲା ଯୁବକଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁରରେ । ମୃତ ଯୁବକ ଜଣକ ହେଲେ ଜଗତସିଂହପୁର ଭୁଆଶୁଣି ଗାଁର ଭଗବାନ ପରିଡାଙ୍କ ପୁଅ ଦେବେନ୍ଦ୍ର ପରିଡା । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପରିବାର ଲୋକଙ୍କ ସୂଚନା ଅନୁଯାୟୀ ଆଜି ସକାଳେ ଦେବେନ୍ଦ୍ରର ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଏହାପରେ ପରିବାର ଲୋକେ ପୋଲିସକୁ ନଜଣାଇ ଦେବେନ୍ଦ୍ରଙ୍କ ଅନ୍ତିମ ସଂସ୍କାର ପାଇଁ ଗାଁ ଶ୍ମଶାନକୁ ନେଇଥିଲେ । ତେବେ କୌଣସି ସୁତ୍ରରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଳତାଡ କରିଥିଲା । ପରେ ଶ୍ମଶାନରୁ ମୃତଦେହ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଶବ ବ୍ୟବଚ୍ଛେଦ କରା ଯାଇଛି । ଦେବେନ୍ଦ୍ରର ମୃତ୍ୟୁ କିପରି ଓ କେଉଁ କାରଣ ଯୋଗୁଁ ହେଲା, ଏହା ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ଏବଂ ପରିବାର ଲୋକେ କାହିଁକି ଦେବେନ୍ଦ୍ରର ମୃତ୍ଯୁ ଖବର ପୋଲିସକୁ ଲୁଚାଇଥିଲେ ସେନେଇ ଛାନଭିନ ଆରମ୍ଭ କରିଛି ପୋଲିସ ।
ସୂଚନା ଅନୁସାରେ, ଭୁଆଶୁଣି ଗାଁର ଭଗବାନ ପରିଡା ଧାନ ବ୍ୟବସାୟ କରନ୍ତି । ଗତ କିଛି ଦିନ ତଳେ ଧାନ ବିକ୍ରୀ ବାବଦରେ ପ୍ରାୟ ୩ଲକ୍ଷ ଟଙ୍କା ପୁଅ ଦେବେନ୍ଦ୍ରଙ୍କ ଆକାଉଣ୍ଟକୁ ଆସିଥିଲା । ତେବେ ଦେବେନ୍ଦ୍ର ଅନଲାଇନରେ ଗେମ ଖେଳି ପ୍ରାୟ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହରାଇଥିଲେ । ଏହା ଜଣାପଡିବା ପରେ ପରିବାର ଲୋକେ ଦେବେନ୍ଦ୍ରଙ୍କୁ ଗାଳିଗୁଲଜ କରିଥିଲେ । ଏଥିଯୋଗୁଁ ମାନସିକ ଚାପରେ ଥିଲେ ଦେବେନ୍ଦ୍ର । ଏହି ଘଟଣା ଯୋଗୁଁ ଦେବେନ୍ଦ୍ର ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ତେବେ ପରିବାର ଲୋକେ କାହିଁକି ଦେବେନ୍ଦ୍ରର ମୃତ୍ଯୁ ଖବର ପୋଲିସକୁ ଜଣାଇନଥିଲେ ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।
ଇଟିଭି ଭାରତ ଜଗତସିଂହପୁର