ପାରାଦୀପ: PPL ସାର କାରଖାନାର ବ୍ୟାଗିଂ ସାଇଟରେ ନୂତନ ୧୫୫ ଜଣ ଶ୍ରମିକ ନିଯୁକ୍ତିକୁ ନେଇ ବିବାଦ ଦେଖାଦେଇଛି। ଏହି ଘଟଣାକୁ ନେଇ ଗତ ୪ ଦିନ ହେଲା ଧାରଣା ଦେଇଛନ୍ତି ପୁରୁଣା ଶ୍ରମିକ, ବ୍ୟାଗିଂ ସାଇଟରେ ଲାଗି ରହିଛି ଅଚଳାବସ୍ଥା। ଗତ ୩୦ ବର୍ଷ ହେଲା ଆମେ କମ୍ପାନୀରେ କାମ କରୁଛୁ କିନ୍ତୁ କମ୍ପାନୀ ଆମକୁ ଅଣଦେଖା କରି ନୂତନ ନିଯୁକ୍ତି ଦେଇ ଆମ ପେଟରେ ଲାତ ମାରୁଛି ବୋଲି କହିଛନ୍ତି ଶ୍ରମିକ।
ଠିକାଦାର ମାନେ ଆମକୁ ହଇରାଣ କରୁଛନ୍ତି। ନୂଆ ୨୦୦ ଶ୍ରମିକ ନିଯୁକ୍ତି ଦେଇ ପୂର୍ବର ସମସ୍ତ ନିୟମକୁ କମ୍ପାନୀ ଅଣଦେଖା କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେବେ କମ୍ପାନୀ କହିବା ମୁତାବକ ଯେହେତୁ ପ୍ରଡକ୍ସନ ବଢ଼ିଛି ତେଣୁ ନୂତନ ଶ୍ରମିକ ନିଯୁକ୍ତିର ଆବଶ୍ୟକତା ଥିଲା। ଯେଉଁଥିପାଇଁ ଟେଣ୍ଡର ପାଇଥିବା କମ୍ପାନୀ ସ୍ଥାନୀୟ ଓ ଜମିହରା ପରିବାରକୁ ପ୍ରାଧାନ୍ୟ ଦେଇ ୧୫୫ ଜଣ ଶ୍ରମିକଙ୍କୁ ନିଯୁକ୍ତି ଦେଇଛନ୍ତି।
ଏ ସମ୍ପର୍କରେ ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚୁକ୍ତି ହୋଇଛି । ଏଥିରେ ଟେଣ୍ଡର ପାଇଥିବା କମ୍ପାନୀ ନୂତନ ନିଯୁକ୍ତି ଦେଇପାରିବ କିନ୍ତୁ ପୁରୁଣା ଶ୍ରମିକଙ୍କୁ ପ୍ରଥମେ ସୁଯୋଗ ଦିଆଯିବ ଏବଂ ପରେ ବଳକା କାମ ଅନ୍ୟ ଶ୍ରମିକ କରିବେ ବୋଲି କୁହାଯାଇଛି । କିନ୍ତୁ ଶ୍ରମିକ ଯାହାକୁ କହିବୁ ସେହି ଲୋକଙ୍କୁ ନିଯୁକ୍ତି ଦେବାପାଇଁ ବାଧ୍ୟ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି କମ୍ପାନୀର ମାନବସମ୍ବଳ ଅଧିକାରୀ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ