ଜଗତସିଂହପୁର: ଆରମ୍ଭ ହେଲା ବର୍ଷା ଋତୁ । ତା ସାଙ୍ଗକୁ ପନିପରିବା ଦର ମଧ୍ୟ ହେଲାଣି ଆକାଶ ଛୁଆଁ । ବାତ୍ୟା ‘ଫନି’ ପରେ ସବୁଠାରୁ ମହଙ୍ଗାମାଡ ଦେଖିବାକୁ ମିଳିଛି ବାତ୍ୟା ପ୍ରଭାବିତ ଅଞ୍ଚଳରେ । 500 ଟଙ୍କାରେ ପରିବା ବ୍ୟାଗ ଭର୍ତ୍ତି ହେଉନଥିବା ବେଳେ ହାଣ୍ଡିଶାଳକୁ ମହଙ୍ଗାମାଡ଼ । ଏ ହେଉଛି ଜଗତସିଂହପୁରର କାହାଣୀ । ଦିନ ଥିଲା ଏହି ଜିଲ୍ଲାରୁ ପଡୋଶୀ ରାଜ୍ୟକୁ ପନିପରିବା ରପ୍ତାନୀ ହେଉଥିଲା । କିନ୍ତୁ ‘ଫନି’ ପରଠୁ ନିଜ ହାଣ୍ଡିଶାଳ ପାଇଁ ବି ମହଙ୍ଗା ସାବ୍ୟସ୍ତ ହୋଇଛି ।
ଜଗତସିଂହପୁର ଜିଲ୍ଲାର ଧୋୟା ଅଞ୍ଚଳ ୨୨ ମୌଜାର ମଇନ୍ଦିପୁର, ବାଗଲପୁର, ଚାସିଖଣ୍ଡ, ମଣ୍ଡାସାହି, ପାଟଣିଗା ଆଦି ଅଞ୍ଚଳରେ ପ୍ରର୍ଯ୍ୟାପ୍ତ ପନିପରିବା ଚାଷ କରାଯାଇ ଜିଲା ଓ ପଡୋଶୀ ଜିଲା କଟକକୁ ରପ୍ତାନି କରାଯାଏ । କିନ୍ତୁ ପରିବା ଚାଷ କମ ଥିବାରୁ ଜିଲାରେ ପରିବା ଦର ଅହେତୁକ ବୃଦ୍ଧି ହୋଇଛି । ବାଇଗଣ କିଲୋ ପ୍ରତି 70 ଟଙ୍କା ଥିବାବେଳେ ପୋଟଳ 100 ଟଙ୍କା, ଟମାଟୋ 60 ଟଙ୍କା, କଲରା 60ଟଙ୍କା, ଦେଶୀଆଳୁ 100 ଟଙ୍କା, କଖାରୁ 30 ଟଙ୍କା ରହିଛି ।
ସେହିପରି ବିଟ୍ 100 ଟଙ୍କା ଗାଜର 80 ଟଙ୍କା, କ୍ୟାପସିକମ୍ 70 ଟଙ୍କା, ସଜନାଛୁଇଁ କିଲୋପ୍ରତି ୧୫୦ ଟଙ୍କା, ଧୁଡଙ୍ଗ କିଲୋପ୍ରତି 100 ଟଙ୍କା ବିନ୍ କିଲୋପ୍ରତି 70 ଟଙ୍କା ରହିଛି । ଏହି ମହଙ୍ଗାମାଡରେ ଅସ୍ତ୍ୟବ୍ୟସ୍ତ ଖାଉଟି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ