ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ଦୋକାନରୁ ଗୋଟିଏ ଦିନରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ଆସିଛି । ଦିନ ଦ୍ବି ପ୍ରହରରେ ଦୁର୍ବୃତ୍ତମାନେ ଦୋକାନରେ କଳାକନା ବୁଲାଇ ଦେଇଛନ୍ତି । ଭିନ୍ନ ଭିନ୍ନ ଦୋକାନରୁ ନଗଦ ଟଙ୍କା ସହ ଆସବାବପତ୍ର ଲୁଟି ନେଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ଜଗତସିଂହପୁର ସହରର ବିଭିନ୍ନ ସ୍ଥାନରେ ଲୁଟ ହୋଇଛି । ଦିନ ଦ୍ବି ପ୍ରହରରେ ଗାନ୍ଧୀଛକ ନିକଟରେ ଏକାଧିକ ଦୋକାନରୁ ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଜଗତସିଂହପୁର ସହରର ଗାନ୍ଧିଛକ ନିକଟରେ ଥିବା ପ୍ରତାପ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ଗୋଖାଦ୍ୟ ଦୋକାନରୁ ଏକଲକ୍ଷ ଟଙ୍କା ଲୁଟ୍ ହୋଇଛି । ସେହିଭଳି ମଙ୍ଗଳବାର ରାତିରେ କାଳନ୍ଦୀ ବୈଶାଖ ନାମକ ଜଣେ ବ୍ୟବସାୟୀଙ୍କ ଦୋକାନ ସଟର କାଟି ବିଭିନ୍ନ ଆସବାବପତ୍ର ନେଇଯିବା ସହ ନଗଦ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ବଜାରର ପ୍ରତାପ ସ୍ୱାଇଁ, ରାମଚନ୍ଦ୍ର ଦାସ ଓ ନାରାୟଣ ସେଠୀଙ୍କ ଦୋକାନରୁ ମଧ୍ୟ ଲୁଟ୍ ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ