ଜଗତସିଂହପୁର: ୟୁନିଅନ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କାର କଏନ ଠକେଇ । ପାରାଦ୍ବୀପ ଗଡ ୟୁନିଅନ ବ୍ୟାଙ୍କରୁ 14 ଲକ୍ଷ 86 ହଜାର 780 ଟଙ୍କାର କଏନ ହଡପ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ବ୍ୟାଙ୍କ ଶାଖା ପରିଚାଳକ ସନ୍ତୋଷ କୁମାରଙ୍କ ଏତଲାକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ଲକ ଥାନା ପୋଲିସ ।
ସୂଚନାଯୋଗ୍ୟ, ଗତ 1 ତାରିଖରେ ଶାଖା ପରିଚାଳକ ଏହି ହଡପ ସମ୍ପର୍କରେ ଏତଲା ଦାୟର କରିଥିଲେ । ପରେ ଥାନା ପକ୍ଷରୁ କେସ ନଂ 28/2021 ଅନୁଯାୟୀ ବ୍ୟାଙ୍କରେ ପହଞ୍ଚି ବିଭିନ୍ନ କାଗଜପତ୍ର ଓ ଷ୍ଟ୍ରଙ୍ଗ ରୁମର ଯାଞ୍ଚ କରାଯାଇଛି । 2016 ମସିହା ବିମୁଦ୍ରିକରଣ ପରଠାରୁ 2020 ମସିହା ମଧ୍ୟରେ ଏହି କଏନଗୁଡିକୁ ହଡପ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରେ ଦୁଇଜଣ ପୂର୍ବତନ ବ୍ୟାଙ୍କ ଶାଖା ପରିଚାଳକ ଅମରଜିତ ପଣ୍ଡା, ଶିବଶଙ୍କର ପାଢୀ, ପୂର୍ବତନ ଉପ ପ୍ରବନ୍ଧକ ସଂଗ୍ରାମ କେଶରୀ ବେହେରା ଓ କ୍ୟାସିୟିର ସୌରଭ ସୋରେନ ସାମିଲ ଥିବା ଏତଲାରେ ଦର୍ଶାଯାଇଛି।
ବର୍ତ୍ତମାନ ପୋଲିସ ପକ୍ଷରୁ ସମସ୍ତ କାଗଜପତ୍ରର ଯାଞ୍ଚ କରାଯିବା ସହିତ ତଦନ୍ତ ଆରମ୍ଭ ହୋଇଛି । ଖୁବଶୀଘ୍ର ଏଥିରେ ସମ୍ପୃକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲକ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ