ଜଗତସିଂହପୁର: ମୁଖ୍ୟ ଚିକିତ୍ସାଳୟରେ ଭଙ୍ଗାରୁଜା କରି ନକଲି ସାମ୍ବାଦିକ ଓ ସମ୍ପାଦକ ଗିରଫ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦୁଇଜଣ ନକଲି ସାମ୍ବାଦିକଙ୍କ ହଙ୍ଗମା ଓ ଭଙ୍ଗାରୁଜା ଘଟଣାରେ ପୋଲିସ ସମ୍ପୃକ୍ତ ନକଲି ସାମ୍ବାଦିକଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଧାର 452/427/294/353/506/34 ରେ ଜଗତସିଂହପୁର ପୋଲିସ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।
ପୋଲିସ କହିବା ଅନୁଯାୟୀ ଜଗତସିଂହପୁର ସହରର ଏକ ୟୁଟ୍ୟୁବ ଚ୍ୟାନେଲ ସମ୍ପାଦକ ଓ ଅନ୍ୟଜଣେ ସାମ୍ବାଦିକର ପରିଚୟ ଦେଇ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ପଶିଥିଲେ । ସେଠାରେ କଣ ପାଇଁ ସାନିଟାଇଜ କରାଯାଉନାହିଁ କହି ଗାଳି ଗୁଲଜ କରିବା ସହ ଆଇସୋଲେସନ ୱାର୍ଡରେ ପ୍ରବେଶ କରି ଭଙ୍ଗା ରୁଜା କରିଥିଲେ । ଏହାକୁ ଚିକିତ୍ସାଲୟର ସୁରକ୍ଷାକର୍ମୀ ବାରଣ କରିବାରୁ ସେମାନଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତ ନକଲି ସାମ୍ବାଦିକ ପ୍ରଦୀପ୍ତ କୁମାର ପ୍ରଧାନ ଓ ନକଲି ସମ୍ପାଦକ ନାରାୟଣ ପ୍ରସାଦ ନନ୍ଦକୁ ଗିରଫ କରାଯାଇଛି। ଏହି ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ