ଜଗତସିଂହପୁର : ପାରାଦ୍ୱୀପରେ ଆଜକୁ ଦଶଦିନ ହେବ ଆନ୍ଦୋଳନ ଚଳାଇ ଆସୁଥିବା ପିପିଏଲ ଆଞ୍ଚଳିକ କୃଷକ କଲ୍ୟାଣ ସମିତିକୁ ମିଳିଛି ଆଶ୍ବସ୍ତି । ଆନ୍ଦୋଳନର ଦଶଦିନ ପରେ ଖୋଦ୍ ଜିଲ୍ଲାପାଳ ପାରୁଲ ପଟୱାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି । ସଂଗଠନର ସଭାପତି ତଥା ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇଙ୍କ ସହ ୫ଜଣିଆ କମିଟି ଓ ପିପିଏଲ କମ୍ପାନୀର ପ୍ରତିନିଧି ଏହି ଆଲୋଚନାରେ ଯୋଗଦେଇଥିଲେ ।
ଆଲୋଚନାରେ ପିପିଏଲ ସଂଗଠନ ଦର୍ଶାଇଥିଲା ଯେ, 2010 ମସିହାରେ ପିପିଏଲକୁ ନେଇ ସ୍ଥାନୀୟ ଲୋକେ ବିସ୍ଥାପିତ ହେଲେ । ସେ ସମୟରେ କ୍ଷତିପୂରଣ ବାବଦକୁ ୧୦ କୋଟି ୪୫ ଲକ୍ଷ ଟଙ୍କା ଦେବାକୁ କମ୍ପାନୀ ପକ୍ଷରୁ କୁହାଯାଇଥିଲା । ଏହାସହ ବିସ୍ଥାପିତ ପରିବାରର ଜଣେ ଲେଖାଏଁଙ୍କୁ ଯୋଗ୍ୟତା ଅନୁସାରେ କମ୍ପାନୀରେ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶୃତି ମଧ୍ୟ ଦିଆଯାଇଥିଲା ।
କିନ୍ତୁ କମ୍ପାନୀ ପକ୍ଷରୁ ମାତ୍ର 4କୋଟି ଟଙ୍କା ଦିଆଯାଇଥିବା ବେଳେ ଅବଶିଷ୍ଟ ବକେୟା ଅର୍ଥ କମ୍ପାନୀ ଦେଉନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଏହାକୁ ବିଚାର କରି ବକେୟା ଅର୍ଥକୁ ଜିଲ୍ଲା ପ୍ରଶାସନ ନିକଟରେ ଜମା କରିବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ କ୍ଷତିପୂରଣ ପାଇନଥିବା ବିସ୍ଥାପିତଙ୍କୁ ପ୍ରଶାସନ ଚିହ୍ନଟ କରି ବକେୟା ଭରଣା କରିବ ବୋଲି ଜିଲ୍ଲାପାଳ କହିଥିଲେ ।
ଜିଲ୍ଲାପାଳଙ୍କ ଠାରୁ ଏଭଳି ପ୍ରତିଶୃତି ପାଇବାପରେ ସଂଗଠନ ଆନ୍ଦୋଳନ ପ୍ରତ୍ୟାହାର କରିଛି । ଦୀର୍ଘ ୧୧ବର୍ଷ ପରେ ପିପିଏଲ ଦ୍ୱାରା ବିସ୍ଥାପିତ ଲୋକେ, କ୍ଷତିପୂରଣ ପାଇବାର ଆଶା ଏକ ପ୍ରକାର ନିଶ୍ଚିତ ହୋଇଛି । ଯାହାକୁ ନେଇ ଖୁସି ଦେଖିବାକୁ ମିଳିଛି ବିସ୍ଥାପିତ ହୋଇଥିବା ପରିବାର ବର୍ଗଙ୍କ ଠାରେ ।
ଇଟିଭି ଭାରତ, ଜଗତସିଂହପୁର