ଜଗତସିଂହପୁର: ବିପଦ ଯେତେବେଳେ ଆସେ ସମୟ ଦେଖନାହିଁ । ଘରୁ କେତେ ଖୁସିରେ ମା' ତାରଣୀଙ୍କ ଦର୍ଶନ ପାଇଁ ବାହାରିଥିଲେ । ମାତ୍ର ରାସ୍ତା ଭୁଲି ଯିବାରୁ ନୟାଗଡରୁ ବାହାରିଥିବା ବୋଲେରୋ ଗାଡି ଜଗତସିଂହପୁରରେ ପହଞ୍ଚିଯାଇଥିଲା । ଏହାପରେ ଘଟି ଯାଇଥିଲା ଦୁର୍ଘଟଣା । ଜଗତସିଂହପୁର ନୂଆପୋଲ ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇ ଗାଡିଟି ଏକ ଗଛରେ ପଟି ହୋଇଥିଲା ଫଳରେ 10ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନାଅନୁସାରେ, ନୟାଗଡ଼ରୁ 10ଜଣ ଲୋକ ମା' ତାରିଣୀ ଦର୍ଶନରେ ବାହାରିଥିଲେ । ବାଟ ଜାଣି ନପାରି ଭୁଲବଶତଃ ଓଏମପି ଛକ ନିକଟରୁ ଜଗତସିଂହପୁର ଅଭିମୁଖେ ଚାଲିଯାଇଥିଲେ । ଜଗତସିଂହପୁର 55 ନମ୍ବର ଜାତୀୟ ରାଜପଥ ନୂଆପୋଲ ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଏକ ଗଛରେ ଗାଡିଟି ପିଟି ହୋଇଯାଇଥିଲା । ଫଳରେ ବୋଲେରୋରେ ବସିଥିବା ସମସ୍ତ ଯାତ୍ରୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ 2ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଗତସିଂହପୁର ମେଡିକାଲ ପକ୍ଷରୁ ଜଣାପଡ଼ିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୋଲେରୋକୁ ଥାନାକୁ ଆଣିବା ସହ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।