ଜଗତସିଂହପୁର: ବେକରେ ରଶି ଲଗାଇ ମହିଳାଙ୍କ ଆତ୍ମହତ୍ୟା । ଏଭଳି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ହାଜିପୁର ଗ୍ରାମରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ଗ୍ରାମର ରାକେଶ ବେହେରାଙ୍କ ପତ୍ନୀ ସୁଚିତ୍ରା ବେହେରା । ଘର ଭିତରେ ଥିବା ଏକ ଲୁହାରଡ଼ରେ ମହିଳାଜଣଙ୍କ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ପୋଲିସ ମୃତଦେହଟିକୁ ଉଦ୍ଧାର କରିଛି । ତେବେ ମହିଳାଙ୍କ ବେକରେ ରଶିଟି ନଲାଗି ପାଟିରେ ରହିଥିବା ବେଳେ ମହିଳାଙ୍କ ହାତ ୨ଟି ବନ୍ଧାଯାଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି ।
ସେପଟେ ମୃତ ମହିଳାଙ୍କ ଭାଇ ଶିବ ପ୍ରସାଦ ବେହେରା ଭଉଣୀଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରିବା ପରେ ବେକରେ ରଶିରେ ଝୁଲାଇ ଦିଆଯାଇଛି ବୋଲି ବିରିଡି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆନୁଯାୟୀ ପୋଲିସ ଏକ ହତ୍ୟା ମାମଲା ରୁଜୁକରି ସ୍ୱାମୀଙ୍କ ସହ ଶ୍ବଶୁର-ସଦାନନ୍ଦ ବେହେରା, ଶାଶୁ-ବୁଲି ବେହେରା ଓ ପଡୋଶି ୨ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ପୁରୀଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଖଗିପୁର ଗ୍ରାମର ବୈକୁଣ୍ଠ ବେହେରାଙ୍କ ଝିଅ ସୁଚିତ୍ରାର ବିବାହ ବିରିଡି ଥାନା ହଜିପୁର ଗ୍ରାମର ସଦାନନ୍ଦ ବେହେରାଙ୍କ ପୁଅଙ୍କ ସାଥିରେ ହୋଇଥିଲା । ବାହାଘର ପରଠୁ ଶାଶୁଘର ଲୋକେଙ୍କ ସହ ବୋହୂର ସଂପର୍କ ଭଲ ନଥିବାରୁ ସବୁବେଳେ ମତାନ୍ତର ହେଉଥିବା ଜଣାପଡିଛି ।
ମୃତ ମହିଳାଙ୍କ ଏକ ଦେଢ଼ବର୍ଷର ପୁଅ ରହିଛି । ଏହାବ୍ୟତୀତ ମୃତ ମହିଳା ରହୁଥିବା ଘରର ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ମିଳିବାପରେ ମହିଳାଙ୍କ ମୃତ୍ୟୁର କାରଣ ପଦାକୁ ଆସିବ ବୋଲି ବିରିଡି ଥାନା ଅଧିକାରୀ ନିରଞ୍ଜନ ମଲ୍ଲିକ୍ କହିଛନ୍ତି । ଘଟଣା ସ୍ଥଳରେ ଏସ୍ ଡିପିଓ ପ୍ରିୟରଂଜନ ଶତପଥୀ, ତହସିଲଦାର ସାଗରିକା ପ୍ରିୟଦର୍ଶିନୀ, ସାଇଣ୍ଟିଫିକ ଟିମ୍ ଓ ସନ୍ଦାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ