ଜଗତସିଂହପୁର: ଆଉ କିଛି ଦିନ ପରେ ଶାରଦୀୟ ଦୁର୍ଗାପୂଜା। ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଶାରଳାଙ୍କ ପୀଠରେ ମଧ୍ୟ ପ୍ରତିବର୍ଷ ଭଳି ଚଳିତ ବର୍ଷ ଧୁମଧାମରେ ହେବାକୁ ଯାଉଛି ଶାରଦୀୟ ପାର୍ବଣ ପୂଜା । ଯେଉଁଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯିବା ସହ ପାର୍ଶ୍ଵ ଦେବାଦେବୀ ମାନଙ୍କୁ ରଙ୍ଗ କରାଯାଉଛି । ସେହିପରି ମାଆଙ୍କ ପୂଜାର୍ଚ୍ଚନା କିଭଳି ଶୃଙ୍ଖଳିତ ହୋଇ ପାରିବ ତାକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ ଡକାଯାଇ ସବୁ ବର୍ଗର ସେବକମାନଙ୍କ ସହ ଆଲୋଚନା କରାଯାଇଛି ।
ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଶାରଦୀୟ ପାର୍ବଣ ପୂଜା। ଯାହାକୁ ନେଇ ସଜେଇ ହେଲାଣି ଜଗତସିଂହପୁର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମାଆ ଶାରଳାଙ୍କ ମନ୍ଦିର । ଆସନ୍ତା ୬ ତାରିଖ ଶୁକ୍ରବାରଠାରୁ ଶାରଦୀୟ ପାର୍ବଣ ପୂଜା ଅନୁଷ୍ଠିତ ହେବ । ସେଥିପାଇଁ ମନ୍ଦିରକୁ ସଜାଯିବା ସହିତ ପାର୍ଶ୍ଵଦେବା ଦେବୀମାନଙ୍କୁ ମଧ୍ୟ ରଙ୍ଗ ଦିଆଯାଉଛି । ଆସନ୍ତା ଶୁକ୍ରବାର ଦିନ ଦେବୀ ଉତ୍ଥାପନ କରାଯାଇ ମା'ଙ୍କୁ ସହସ୍ରାକୁମ୍ଭାଭିଷେକ କରାଯିବ । ସେହିଦିନ ମାଆ ଶାରଳାଙ୍କୁ ସୁନା ବେଶ ସଜ୍ଜିତ କରାଯିବାର ପରମ୍ପରା ରହିଛି ।
ଏହାମଧ୍ୟ ପଢନ୍ତୁ... ଦୁର୍ଗାପୂଜା ପୂଜା ମଣ୍ଡପରେ ଲାଗିବ ଇଲେକ୍ଟ୍ରି ମିଟର
ଦେବୀ ଉତ୍ଥାପନ ଦିବସଠାରୁ ମହାନବମୀ ପର୍ଯ୍ୟନ୍ତ ମାଆଙ୍କୁ ବିଭିନ୍ନ ବେଶରେ ସଜିତ କରାଯିବ। ଯୁତିଆଠାରୁ ଯଜ୍ଞ ମଣ୍ଡପରେ ଦେବୀ କଳସ ସ୍ଥାପନ କରାଯାଇ ପ୍ରତ୍ୟହ ଷୋଡ଼ଶ ଉପଚାର ପୂଜା, ଚଣ୍ଡୀ ପାଠ ସହିତ ବିଭିନ୍ନ ବେଶରେ ମା'ଙ୍କୁ ସଜ୍ଜିତ କରାଯିବ । ଷୋଡ଼ଶ ଦିନାତ୍ମକ ପୂଜା ପାଇ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶାରଦୀୟ ଦୁର୍ଗାପୂଜା ଯେପରି ଶୃଙ୍ଖଳିତ ହୋଇପାରିବ ସେନେଇ ପ୍ରଶାସନ ସେବାୟତ ନିଯୋଗଙ୍କ ସହ ଆଲୋଚନା କରିଛି । ସେବାୟତ ନିଯୋଗ ପକ୍ଷରୁ ମାଆଙ୍କ ପୂଜା ଓ ନୀତିକାନ୍ତି ସୁଚାର ରୂପେ ସମ୍ପୂର୍ଣ୍ଣ ପାଇଁ ପ୍ରତିଶ୍ରୁତି ଦିଆଯାଇଛି ।
ଏହାମଧ୍ୟ ପଢନ୍ତୁ.. ଦୁର୍ଗାପୂଜା ପୂର୍ବରୁ ବଦଳିବ କଟକର ରୂପ, ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି
କିନ୍ତୁ ମନ୍ଦିରର ଚାରି ପାଖରେ ଆବର୍ଜନାକୁ କିଛି ସେବାୟତ ପ୍ରଶ୍ନ ଉଠାଇଛନ୍ତି । ସେବାୟତ ମାନଙ୍କ କହିବା ଅନୁଯାୟୀ, ରାଜ୍ୟ ସରକାରଙ୍କ ଦ୍ୱାରା ମନ୍ଦିରର ଉନ୍ନତିକରଣ ପାଇଁ ଯେଉଁ କାର୍ଯ୍ୟ ହାତକୁ ନିଆଯାଇଛି ତାହା ବହୁ ବିଳମ୍ବ ହେଉଛି । ଫଳରେ ଶ୍ରଦ୍ଧାଳୁମାନେ ହଇରାଣ ହେଉଛନ୍ତି । ସୌନ୍ଦର୍ଯ୍ୟକରଣ ନାମରେ ମନ୍ଦିରର ଚତୁଃପାର୍ଶ୍ଵରେ ଥିବା ପ୍ରାଚୀର ଭାଙ୍ଗି ଦିଆଯାଇଛି । କିନ୍ତୁ ତାହାର ନିର୍ମାଣରେ ବହୁ ବିଳମ୍ବ ହେଉଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପାର୍ବଣ ପୂର୍ବରୁ ଏହାକୁ ନିର୍ମାଣ କରିବାକୁ ସେବାୟତମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏହି କାମ ନେଇଥିବା ଠିକାସଂସ୍ଥା ଅହେତୁକ ବିଳମ୍ବ କରୁଥିବାରୁ ଯାତାୟାତରେ ମଧ୍ୟ ବାଧା ସୃଷ୍ଟି ହେଉଥିବା ସେବକମାନେ କହିଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର