ଜଗତସିଂହପୁର : ପାରାଦ୍ବୀପ ଜରାଶ୍ରମ ସଭାପତିଙ୍କୁ ନିର୍ମମ ହତ୍ୟା । ପାରାଦ୍ବୀପଗଡ଼ ରତ୍ନମାଳିଜେମା ଜରାଶ୍ରମର ସଭାପତିଙ୍କୁ ନିର୍ମମ ହତ୍ୟା । ସାମାନ୍ୟ କଥାକୁ ନେଇ ବଚସା ହେବାରୁ କଟୁରୀ ଓ କୋଦାଳରେ ହାଣିଦେଲା ଆଶ୍ରମର କର୍ମଚାରୀ । ମୃତକ ଜଣକ ହେଉଛନ୍ତି ପାରାଦ୍ବୀପଗଡ଼ ରତ୍ନମାଳିଜେମା ଜରାଶ୍ରମର ସଭାପତି ସନ୍ତୋଷ ବେହେରା । ଆଶ୍ରମର ବୁଝାସୁଝା କରୁଥିବା କର୍ମଚାରୀ କୀର୍ତ୍ତନ ପରିଡ଼ା ସଭାପତିଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।
ହତ୍ୟାପରେ ଅଭିଯୁକ୍ତ କୀର୍ତ୍ତନ ପରିଡା ଗିରଫ ଭୟରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଜଣାପଡିଛି । ଏଥିପାଇଁ ଆଶ୍ରମ ପରିସରରେ ଥିବା ସାରପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲା ଅଭିଯୁକ୍ତ କୀର୍ତ୍ତନ । ଏଥିରେ କୀର୍ତ୍ତନ ଗୁରୁତର ହେବାରୁ ତାକୁ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ପରିଣତ ବୟସରେ ପର କଲେ ପିଲା, ଜରାଶ୍ରମରେ ବିତୁଛି ଜୀବନ
ସୂଚନାନୁସାରେ ସଭାପତି ସନ୍ତୋଷ ବେହେରାଙ୍କ ଜରାଶ୍ରମରେ ରହି କାମ କରୁଥିଲା କୀର୍ତ୍ତନ । ତେବେ ଗତ ଦୁଇଦିନ ହେବ କୀର୍ତ୍ତନ ଘରକୁ ଯିବାକୁ ସନ୍ତୋଷଙ୍କୁ ଟଙ୍କା ମାଗୁଥିଲା । ହେଲେ ସନ୍ତୋଷ ଏଥିପ୍ରତି ଖାତିରି କରୁନଥିଲେ । କି ତାଙ୍କୁ ଟଙ୍କା ଦେଉନଥିଲେ । ସନ୍ତୋଷ କହୁଥିଲେ ୨ ଦିନ ପରେ ଟଙ୍କା ନେବ । ଏବେ ମୋ ପାଖରେ ପଇସା ନାହିଁ । ଏଥିରେ ଉତକ୍ଷିପ୍ତ ହୋଇ ଉଠିଥିଲା କୀର୍ତ୍ତନ । ସନ୍ତୋଷ ଶୋଇଥିବା ବେଳେ କୀର୍ତ୍ତନ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟିଥିଲା । ଫଳରେ ଘଟଣାସ୍ଥଳରେ ହିଁ ସନ୍ତୋଷଙ୍କର ମୃତ୍ୟୁ ଘଟିଥିଲା । ତେବେ ସନ୍ତୋଷଙ୍କ ମୃତ୍ୟୁ ହେବା ଦେଖି ଭୟଭୀତ ହୋଇପଡ଼ିଥିଲା କୀର୍ତ୍ତନ । ଗିରଫ ହେବା ଭୟରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା ।
ଏହା ମଧ୍ୟ ପଢନ୍ତୁ: କଇଁଛଙ୍କ ସୁରକ୍ଷାକୁ ଗୁରୁତ୍ବ , ୭ମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ମନା
ତେଣୁ ଘର ଭିତରେ ଥିବା ସାର ପିଇ ଦେଇଥିଲା କୀର୍ତ୍ତନ । ଏଥିରେ ଗୁରୁତର ହେବାରୁ ସ୍ଥାନୀୟ ଲୋକେ ତାକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଏ ସମ୍ପର୍କରେ ଖବରପାଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେଠାରେ ତଦନ୍ତ କରିବା ସହ ସନ୍ତୋଷଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲେ ।
ଏହା ମଧ୍ୟ ପଢନ୍ତୁ: ପର କଲେ ଦୁଇପୁଅ, ଜରାଶ୍ରମରେ ବିତୁଛି ହାସ୍ୟ ଅଭିନେତାଙ୍କ ଜୀବନ
କିଛିଦିନ ତଳେ ଏହି ଜରାଶ୍ରମରେ ହାସ୍ୟ ଅଭିନେତା ମଣିଭଦ୍ର ବିଶ୍ଵାଳ ଆସି ଆଶ୍ରୟ ନେଇଥିଲେ ଓ ସନ୍ତୋଷ ତାଙ୍କୁ ଆଶ୍ରୟ ଦେଇଥିଲେ । ଯାହାକୁ ନେଇ ସନ୍ତୋଷ ଓ ଏହି ଜରାଶ୍ରମ ଚର୍ଚ୍ଚାରେ ରହିଥିଲା । ତେବେ ସଭାପତି ସନ୍ତୋଷ ବେହେରାଙ୍କ ହତ୍ୟା ଘଟଣା ସ୍ଥାନିୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ଇଟିଭି ଭାରତ, ଜଗତସିଂହପୁର