ଜଗତସିଂହପୁର : ଜିଲ୍ଲାରେ ଆରମ୍ଭ ହୋଇଛି ଜିଲ୍ଲା ମହୋତ୍ସବ 'କଲ୍ଲୋଳ' 2023 । ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ଭାବେ ଗୃହିଣୀମାନଙ୍କ ଦ୍ବାରା ପିଠା ପ୍ରଦର୍ଶନୀ କରାଯାଇଥିଲା । ଯାହା ଏହି ଜିଲ୍ଲା ମହୋତ୍ସବର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଜଗତସିଂହପୁରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ଏହି ପିଠା ପ୍ରଦର୍ଶନୀ କାର୍ଯ୍ୟକ୍ରମ । ଏହାକୁ ଜଗତସିଂହପୁର ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷା ପାରୁଲ୍ ପଟ୍ଟୁଆରୀ ଯୋଗଦେଇ ଗୃହିଣୀମାନଙ୍କ ଦ୍ଵାରା କରାଯାଇଥିବା ପିଠା ଷ୍ଟଲ ବୁଲି ଦେଖିଥିଲେ ।
ଜିଲ୍ଲାର ୮ଟି ବ୍ଲକ ଓ ଦୁଇଟି ମୁନସିପାଲିଟି ଥିବା ବେଳେ ପ୍ରତ୍ୟେକ ବ୍ଲକରୁ ୫ଜଣ ଗୃହିଣୀ ଏହି ପିଠା ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ । ଏହିପରି ୫୦ଜଣ ମହିଳା ପିଠା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାପାଳ ପାରୁଲ ପଟ୍ଟୁଆରୀ ଗୃହିଣୀମାନଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ପିଠାଗୁଡିକର ସ୍ବାଦ ଚାଖିଥିଲେ । ତେବେ ଏହି ପିଠା ପ୍ରଦର୍ଶନିରେ ଚକୁଳି, ଏଣ୍ଡୁରି, ଆରିସା,ମଣ୍ଡା, ପୋଡପିଠା, ଚିତଉ, ଗଇଁଠା ଆଦି ୧୭ପ୍ରକାରର ପିଠା ସ୍ଥାନ ପାଇଥିଲା । ତେବେ କଲ୍ଲୋଳ ମହୋତ୍ସବରେ ପିଠା ପ୍ରଦର୍ଶନୀକୁ ଜନସାଧାରଣ ବେଶ୍ ଉପଭୋଗ କରିଥିଲେ । ଏଥିରେ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ପିଠା ପ୍ରଦର୍ଶନୀ ସହିତ ଝୋଟି, ଶଙ୍ଖ ଓ ହୁଳହୁଳି ପ୍ରତିଯୋଗିତା କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା ।
ପ୍ରକାଶ ଥାଉ କି, ଜାନୁଆରୀ 15 ତାରିଖରୁ କଲ୍ଲୋଳ ମହୋତ୍ସବ ଉଦଘାଟିତ ହୋଇଛି । 5 ଦିନ ଧରି ଏହି ମହୋତ୍ସବ ଚାଲିବ । ଆସନ୍ତା 19 ତାରିଖରେ କଣ୍ଠଶିଳ୍ପୀ ତଥା ଇଣ୍ଡିଆନ ଆଇଡଲ ଜୁନିଅର ବିଜେତା ଅନନ୍ୟା ଶ୍ରୀତମ ନନ୍ଦ ମହୋତ୍ସବରେ ଯୋଗ ଦେବେ । 21 ତାରିଖ ଯାଏଁ ଚାଲିବ ଏହି ମହୋତ୍ସବ । 5ଦିନ ଧରି ଏହି ମହୋତ୍ସବରେ ପୁସ୍ତକ ମେଳା, ପଲ୍ଲୀଶ୍ରୀ ମେଳା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲାର ସାଂସ୍କୃତିକ ଦଳ ସହିତ ପଶୁ ନୃତ୍ୟ, ମଣିପୁରୀ, ସମ୍ବଲପୁରୀ, ଗୋଟିପୁଅ, ଆନ୍ଧ୍ରପ୍ରଦେଶର ଲମ୍ବଡି ଡ଼୍ୟାନ୍ସ, ଆସାମର ବିହୁ ନୃତ୍ୟ, ଖୋର୍ଦ୍ଧାର ପାଇକ ଆଖଡା, ମୟୂରଭଞ୍ଜର ଛଉ, ଗୁଜୁରାଟର ଗରବା, ରାଜସ୍ଥାନର ତେସ୍ସା, ମଣିପୁର କଥକ ଆଦି ପରିବେଷଣ କରାଯାଇଛି । କନ୍ଧମାଳର ବନବାସୀ କଳା ସଂସ୍କୃତିକ ପରିଷଦ ପକ୍ଷରୁ ଝାଙ୍ଗିଡି ନୃତ୍ୟ, ପରେ ପରେ ଆସାମ ର ବିହୁ ନୃତ୍ୟ, ଖୋର୍ଦ୍ଧାର କବିରାଜ ପାଇକ ଅଖଡା ପକ୍ଷରୁ ପାଇକ ନୃତ୍ୟ ଓ ଶେଷରେ ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା । ପୁରୀର ଗୋଟିପୁଅ ନୃତ୍ୟ, ଆନ୍ଧ୍ରପ୍ରଦେଶର ଲମ୍ବାଡି ଡ୍ୟାନ୍ସ ମଧ୍ୟ ଏହି ମହୋତ୍ସବରେ ପରିବେଷଣ କରାଯାଇଥିଲା । ଏହା ସହିତ ଏହି ମଞ୍ଚରେ ଓଲିଉଡ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ କରିଥିଲେ ।
ଇଟିଭି ଭାରତ, ଜଗତସିଂହପୁର