ପାରାଦ୍ବୀପ: ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଘନୀଭୂତ ହେବା ପରେ ଆସନ୍ତା ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ରାଜ୍ୟ ସମେତ ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ମୁନିସିପାଲିଟି ଅଞ୍ଚଳରେ ମଧ୍ୟ ବର୍ଷା ହୋଇଛି । ତେବେ ଅସରାଏ ବର୍ଷାରେ ୧୬ ନମ୍ବର ୱାର୍ଡ ଜଳମଗ୍ନ ହୋଇଥିବା ବେଳେ ବାତ୍ୟାଜନିତ ବର୍ଷାକୁ ନେଇ ଚିନ୍ତାରେ ଅଞ୍ଚଳବାସୀ । ଆଗୁଆ ବ୍ୟବସ୍ଥା ଲାଗି ଏମାନେ ଧାରଣା ଦେଇଥିବା ଜଣାପଡ଼ିଛି ।
୧୬ ନମ୍ବର ୱାର୍ଡରେ ପୌର ପ୍ରଶାସନ ପକ୍ଷରୁ ଏକ ମିନିପାର୍କ(Mini Park) ନିର୍ମାଣ କାର୍ଯ୍ୟ କରାଯାଉଛି । ଫଳରେ ଯେଉଁପଟେ ବର୍ଷାଜଳ ନିଷ୍କାସନ ହେବା କଥା ତାକୁ ବନ୍ଦ କରି ଦିଆଯାଇଛି । ଏଥିଯୋଗୁଁ ଗତକାଲି(ଗୁରୁବାର) ଅସରାଏ ବର୍ଷାରେ ୧୬ ନମ୍ବର ୱାର୍ଡ ଜଳମଗ୍ନ ହୋଇଥିଲା । ଆଗକୁ ବାତ୍ୟା ଜନିତ ପ୍ରବଳବର୍ଷା ହେବାର ଆଶଙ୍କା ଥିବାରୁ ଲୋକଙ୍କ ଘରେ ପାଣି ପଶିବାର ସମ୍ଭାବନା ରହିଛି ।
ଏହା ବି ପଢନ୍ତୁ- Cyclone Update: 8ରେ ବାତ୍ୟା, 10ରେ ଛୁଇଁବ ଉପକୂଳ !
ଏହାକୁ ଦୃଷ୍ଟିରେ ରଖି ଶତାଧିକ ପୁରୁଷ ଓ ମହିଳା ଜଳ ନିଷ୍କାସନ ବ୍ୟବସ୍ଥା ତୁରନ୍ତ କରିବାକୁ ଦାବି କରି ଧାରଣା ଦେଇଛନ୍ତି । ଖବର ପାଇ ପାରାଦ୍ବୀପ ପୌର ପରିଷଦର ନିର୍ବାହୀ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ଜନିତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୮ ତାରିଖ ପୂର୍ବରୁ ୧୬ ନମ୍ବର ୱାର୍ଡରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ୱାର୍ଡବାସୀ ଦାବି କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ