ଜଗତସିଂହପୁର: ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆରେ ହେବାକୁ ଥିବା JSWର ଇସ୍ପାତ ପ୍ରକଳ୍ପକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ କିଛି ଲୋକେ ଶିଳ୍ପକୁ ସମର୍ଥନ କରିବା ଆରମ୍ଭ କଲେଣି । ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ଗତ 16 ତାରିଖ ଦିନ କମ୍ପାନୀ ବର୍ଦ୍ଧିତ କ୍ଷତି ପୂରଣ ଘୋଷଣା କରିବା ପରେ ଶିଳ୍ପକୁ ବିରୋଧ କରୁଥିବା କିଛି ଲୋକେ ଏବେ ପ୍ରସ୍ତାବିତ ପ୍ରକଳ୍ପକୁ ସମର୍ଥନ ଦେବା ଆରମ୍ଭ କରିଛନ୍ତି ।
ଫଳରେ ବିରୋଧୀ ସଂଗଠନ ଦୁର୍ବଳ ହୋଇଛି । କମ୍ପାନୀ କର୍ତ୍ତୃପକ୍ଷ ବିଭିନ୍ନ ଶ୍ରମିକ ସଂଗଠନ ମାନଙ୍କ ସହ ଆଲୋଚନା କରି ଶିଳ୍ପ ପ୍ରତିଷ୍ଠାରେ ଯେପରି ବାଧା ସୃଷ୍ଟି ନ ହେବ ସେଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଅପରପକ୍ଷରେ ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ ଢିଙ୍କିଆ ଗ୍ରାମକୁ ଶିଳ୍ପ ହାତକୁ ଟେକି ଦିଆଯିବନି । ଢିଙ୍କିଆ ଭଳି ଉର୍ବର ମାଟିରେ କୌଣସି ପ୍ରକାର ଶିଳ୍ପକୁ ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସପକ୍ଷବାଦୀ ମାନେ ସ୍ପଷ୍ଟ କରିଛନ୍ତି ଯେ ଢିଙ୍କିଆ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ହେଲେ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସହିତ ସ୍ବାସ୍ଥ୍ୟସେବା,ରାସ୍ତାଘାଟ, ଓ ଗମନାଗମନର ସୁବିଧା ହୋଇ ପାରିବ ।
କମ୍ପାନୀ ଯଦି ଉପଯୁକ୍ତ କ୍ଷତି ପୂରଣ ପଦାନ କରିବ ତାହାଲେ ଆମେ ଶିଳ୍ପ ପାଇଁ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛୁ ବୋଲି କିଛି ମତ ଦେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଛକାପଞ୍ଝା ଲାଗି ରହିଛି । ଜିନ୍ଦଲ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଗତ ଗୁରୁବାର ଦିନ ପ୍ରସ୍ତାବିତ ଅଞ୍ଚଳରେ ଏକ ଅସ୍ଥାୟୀ କାର୍ଯ୍ୟାଳୟ ଆରମ୍ଭ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ଅଞ୍ଚଳରେ କାମ ଆରମ୍ଭ ପାଇଁ ଘୋଷଣା କରାଯାଇଛି । ଯାହାକୁ ନେଇ ଆଗାମୀ ଦିନରେ ପ୍ରଶାସନ ଓ ବିରୋଧୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।
ଜଗତସିଂପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ