ଜଗତସିଂହପୁର: ଅତି ଦୟନୀୟ ଅବସ୍ଥାରେ ଚାଲିଛି ଜଗତସିଂହପୁର ଜିଲ୍ଲାର ସମସ୍ତ ସିନେମା ହଲ୍ । ଧିରେ ଧିରେ ଜିଲ୍ଲା ଚଳଚ୍ଚିତ୍ର ପ୍ରେକ୍ଷାଳୟର ଚାହିଦା କମିବାରେ ଲାଗିଲାଣି । ଏହାର ପ୍ରଭାବ ସିଧାସଳଖ ପ୍ରେକ୍ଷାଳୟ ମାଲିକଙ୍କ ଠାରୁ ଆରମ୍ଭ କରି ତଳସ୍ତରରେ ଥିବା କର୍ମଚାରୀଙ୍କ ଉପରେ ପଡୁଛି । ନିଜ ରୋଜଗାର ହରାଇ ବସିଲେଣି ପ୍ରେକ୍ଷାଳୟ କର୍ମଚାରୀ ।
ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲାରେ 2015 ସୁଦ୍ଧା 10 ଟି ଫିଲ୍ମ ହଲ ଥିବାବେଳେ ଏବେ ମାତ୍ର 4ଟି ହଲ ଚାଲୁଛି। ଏହା ପୁଣି ଅତି ଦୟନୀୟ ଅବସ୍ଥାରେ ଚାଲୁଥିବା କହିଛନ୍ତି ହଲ ମାଲିକ । ଆଗଭଳି ପ୍ରେକ୍ଷାଳୟ ଗୁଡିକୁ ଦର୍ଶକ ଆସୁନଥିବାରୁ ଧୀରେ ଧୀରେ କେତେକ ଫିଲ୍ମ ହଲ ମଧ୍ୟ ବନ୍ଦ ହୋଇଗଲାଣି।
ହଲ ମାଲିକଙ୍କ କହିବା କଥା ମାସକୁ ବିଦ୍ୟୁତ ବିଲ ସାଙ୍ଗକୁ କର୍ମଚାରୀଙ୍କ ଦରମା ଓ ଆନୁସଙ୍ଗିକ ଖର୍ଚ୍ଚ ବହନ କରିବା କଷ୍ଟକର ହୋଇପଡ଼ୁଛି। ସରକାର ଚଳଚ୍ଚିତ୍ର ଶିଳ୍ପ ଉପରୁ ଟିକସ ଛାଡ଼ କରିଥିଲେ । କିନ୍ତୁ GST ଆଇନ ଆସିବା ଫଳରେ ଟିକେଟର ମୂଲ୍ୟ ବୃଦ୍ଧି ପାଇଛି । ମୂଲ୍ୟ ବୃଦ୍ଧି ଫଳରେ ନିମ୍ନ ଓ ମଧ୍ୟବିତ ପରିବାର ମୁଁହ ଫେରାଇ ନେଉଥିବା ଦେଖିବାକୁ ମିଳୁଛି।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ