ଜଗତସିଂହପୁର: ସହରରେ ନିରାଶ୍ରୟଙ୍କ ପାଇଁ ଖୋଲିଥିବା ରାତ୍ର ଆଶ୍ରୟସ୍ଥଳ ଏବେ ପ୍ରହସନ ପାଲଟିଥିବା ଅଭିଯୋଗ ହୋଇଛି । ବିଶେଷ କରି ଗରିବ ଓ ନିରାଶ୍ରୟ ବ୍ୟକ୍ତିଙ୍କ ରାତ୍ର ରହଣି ପାଇଁ ରାତ୍ର ଆଶ୍ରୟସ୍ଥଳ ଖୋଳାଯିବାର ବ୍ୟବସ୍ଥା ରହିଛି । ଶୀତଦିନେ କୌଣସି ବ୍ୟକ୍ତି ରାସ୍ତାକଡରେ ଖୋଲା ଆକାଶ ତଳେ ଆଶ୍ରୟ ନନେଇ ଖୋଲାଯାଇଥିବା ରାତ୍ର ଆଶ୍ରୟସ୍ଥଳରେ ବିଶ୍ରାମ ନେବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ହେଲେ ଜଗତସିଂହପୁର ପୌର ପରିଷଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବର୍ତ୍ତମାନ ପ୍ରବଳ ଶୀତ ଅନୁଭୂତ ହେଉଥିଲେ ମଧ୍ୟ ପୌର ପ୍ରଶାସନ ପକ୍ଷରୁ ରାତ୍ର ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇନାହିଁ ।
ସ୍ଥାନୀୟ ଶାରଳା ଦାସ ସଂସ୍କୃତି ଭବନ ନିକଟରେ ଥିବା କଲ୍ୟାଣ ମଣ୍ଡପରେ ପୌର ପ୍ରଶାସନ ଏକ ବ୍ୟାନର ମାରିଛି । ହେଲେ କୌଣସି ବ୍ୟବସ୍ଥା କରିବାତ ଦୂରର କଥା, ଉକ୍ତ ବିଲ୍ଡିଂରେ ତାଲା ଝୁଲୁଛି । କେବଳ ଆଶ୍ରୟସ୍ଥଳ ନାମରେ ବ୍ୟାନର ନିଜର କାମ ସାରି ଦେଇଛି ପୌର ପ୍ରଶାସନ । ପ୍ରତେକ ଦିନ ଜଗତସିଂହପୁର ସହରର ମେଡ଼ିକାଲକୁ ଶହ ଶହ ସଂଖ୍ୟାରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଆସୁଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ବିଭିନ୍ନ କାମରେ ବହୁଲୋକ ଆସୁଛନ୍ତି । ହେଲେ ପ୍ରଶାସନର ଏପରି କାର୍ଯ୍ୟ ଏବେ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।
ଏହା ମଧ୍ୟ ପଢନ୍ତୁ :- ହସ୍ପିଟାଲରେ ବିସ୍ଫୋରଣ ଘଟଣା, ଜ୍ୟୋତି ରଞ୍ଜନଙ୍କ ପରିବାରକୁ କ୍ଷତିପୂରଣ ଦାବି
ବାଲିକୁଦା, ଏରସମା, କୁଜଙ୍ଗ ଆଦି ଦୂର ଦୁରାନ୍ତରୁ ଆସୁଥିବା ଲୋକଙ୍କ ପାଇଁ ରାତ୍ର ଆଶ୍ରୟ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ମେଡ଼ିକାଲ ବାରଣ୍ଡାଠାରୁ ଆରମ୍ଭ କରି ରାସ୍ତାକଡରେ ରାତ୍ରି ବିଶ୍ରାମ ନେବାପାଇଁ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ନଭେମ୍ବର ମାସଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସହରର ମୁଖ୍ୟ ସ୍ଥାନରେ ରାତ୍ର ଆଶ୍ରୟ ସ୍ଥଳ ଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ନେଇ ଅର୍ଥ ମଞ୍ଜୁରୀ କରିଛନ୍ତି । କିନ୍ତୁ ଏହି ଯୋଜନା ଜଗତସିଂହପୁର ପୌରଞ୍ଚଳରେ ଫେଲ ମାରିଛି । ଏହି ଘଟଣାକୁ ନେଇ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ମଧ୍ୟ ସେ ଏ ସମ୍ପର୍କରେ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ଏହାକୁ ନେଇ ଜଗତସିଂହପୁର ସହରରେ ଅସନ୍ତୋଷ ପ୍ରକାଶ ପାଇଛି ।
ଇଟିଭି ଭାରତ, ଜଗତସିଂହପୁର