ପାରାଦ୍ଵୀପ: ପାରାଦ୍ୱୀପରେ ଶ୍ରମିକ ଅଶାନ୍ତି ଯୋଗୁଁ ଅଚଳ ହେଲା ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ୍ କାରଖାନା । କାରଖାନାର ମୁଖ୍ୟ ଗେଟ୍ ସାମ୍ନାରେ ଧାରଣା ଦେଇଛନ୍ତି ଶ୍ରମିକ । କମ୍ପାନୀ କର୍ତ୍ତୃପକ୍ଷ ସରକାରଙ୍କ ଶ୍ରମ ଆଇନକୁ ଅବମାନନା କରି ଶ୍ରମିକଙ୍କୁ ଶୋଷଣ କରୁଥିବା ଅଭିଯୋଗରେ ଏହି ଧାରଣା ଦେଇଛନ୍ତି ଶ୍ରମିକ ।
କାରଖାନା ପରିସରରେ ଶ୍ରମିକଙ୍କ ୟୁନିୟନକୁ ସ୍ଵୀକୃତି ଦିଆଯାଉ ନାହିଁ । ଦୀର୍ଘ ଦିନ ହେଲା ସେମାନଙ୍କ ଦରମା ବୃଦ୍ଧି କରାଯାଉନାହିଁ । ତା ସହିତ କମ୍ପାନୀ କର୍ତ୍ତୃପକ୍ଷ ମନଇଚ୍ଛା ଶ୍ରମିକ ଛଟେଇ କରୁଥିବାବେଳେ ଡଷ୍ଟ ଆଲ୍ଲାଉନ୍ସ ମଧ୍ୟ ଦେଉ ନଥିବା ଅଭିଯୋଗ ହୋଇଛି । ଫଳରେ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ କାରଖାନା କାର୍ଯ୍ୟ ଠପ ହୋଇଛି । ଗେଟ୍ ସମ୍ମୁଖରେ ଶତାଧିକ ଶ୍ରମିକ ଧାରଣା ଦେଇଥିବାରୁ କାରଖାନା ବାହାରୁ କେହି ଯାଇ ପାରୁନଥିବାବେଳେ ଭିତରେ ରହିଥିବା ଲୋକେ ବାହାରକୁ ଆସି ପାରୁନାହାନ୍ତି ।
ପୂର୍ବରୁ ପାରାଦ୍ଵୀପ ଏସାର ଷ୍ଟିଲ ଇଣ୍ଡିଆ ଓ୍ବାକର୍ସ ୟୁନିୟନ ପକ୍ଷରୁ କାରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ତେବେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ଦାବି ଅଗ୍ରାହ୍ୟ କରି ଦେଇଥିବା ଅଭିଯୋଗ ହୋଇଛି । ଫଳରେ ଶ୍ରମିକମାନେ ଶ୍ରମ କମିଶନରଙ୍କ ଦ୍ବାରସ୍ତ ହୋଇଥିଲେ । ସେପଟେ କାରଖାନା କର୍ତ୍ତୃପକ୍ଷ ଶ୍ରମ କମିଶନରଙ୍କ ନିକଟରେ ହାଜର ନହେବାରୁ, ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଯେପର୍ଯ୍ୟନ୍ତ ଶ୍ରମିକଙ୍କ ଦାବି କାରଖାନା କର୍ତ୍ତୃପକ୍ଷ ନ ମାନିଛନ୍ତି ଆନ୍ଦୋଳନ ଜାରି ରହିବ ବୋଲି ୟୁନିୟନ ପକ୍ଷରୁ କୁହାଯାଇଛି । ପାରାଦ୍ଵୀପ ଆଦର୍ଶ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ଅନ୍ୟ ପକ୍ଷରେ ଶ୍ରମିକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି କାରଖାନା କର୍ତ୍ତୃପକ୍ଷ । କୌଣସି ଶ୍ରମିକଙ୍କୁ ଛଟେଇ କରାଯାଇ ନାହିଁ, ଯାହା କିଛି ସମସ୍ୟା ରହିଛି ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି କହିଛନ୍ତି । ସେପଟେ ଆନ୍ଦୋଳନ ଯୋଗୁଁ କାରଖାନା କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା ସେ ସ୍ବୀକାର କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ