ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭାଗୃହରେ ଆଜି(ଶନିବାର) ପାରାଦ୍ୱୀପ-ହାଇଦ୍ରାବାଦ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ପାଇପ ଲାଇନ କର୍ତ୍ତୃପକ୍ଷ ଓ ଢ଼ିଙ୍କିଆ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ବୈଠକରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ପାରାଦ୍ୱୀପ-ହାଇଦ୍ରାବାଦ ପାଇପ ଲାଇନ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଢ଼ିଙ୍କିଆ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ। ବୈଠକର ନିଷ୍ପତ୍ତି ଅନୁସାରେ 200 ମିଟର ଲମ୍ବ ଓ 18 ମିଟର ଓସାର ବିଶିଷ୍ଟ ଗୋଚର ଜମିକୁ ଛାଡି ପାଇପ ଲାଇନ ବିଛାଇବା କାମ ଆଗେଇ ନେବାକୁ ସମ୍ମତି ପ୍ରକାଶ ପାଇଥିଲା। ଜମିର 6 ଫୁଟ ତଳେ ପାଇପ ଲାଇନ ନେବା ସମୟରେ ଚାଷକାମ ବ୍ୟାହତ ପାଇଁ କ୍ଷତି ପୁରଣ ଦେବାକୁ ନିଷ୍ପତ୍ତି ହୋଇଛି। ଢ଼ିଙ୍କିଆ, ଗୋବିନ୍ଦପୁର ଓ ତ୍ରିଲୋଚନପୁରରେ ଗୋଷ୍ଠିଗତ ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରତିଶୃତି ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ପାରାଦ୍ୱୀପ ତୈଳ ବିଶୋଧନାଗାର ପକ୍ଷରୁ ପାରାଦ୍ୱୀପରୁ ହାଇଦ୍ରାବାଦ 1212 କିଲୋମିଟର ପ୍ରର୍ଯ୍ୟନ୍ତ ପାଇପ ଲାଇନ ବିଛା ଯାଉଛି। ସେଥି ମଧ୍ୟରୁ ଓଡ଼ିଶାରେ 330 କିଲୋମିଟର ରହିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ 320 କିଲୋମିଟର ପାଇପ ଲାଇନ ବିଛା ସାରିଥିବା ବେଳେ ଅବଶିଷ୍ଟ 20 କିଲୋମିଟର ପାଇଁ ବିବାଦ ଦେଖା ଦେଇଥିଲା। ଏହାକୁ ଢ଼ିଙ୍କିଆ ଗ୍ରାମବାସୀ ବିରୋଧ କରୁଥିଲେ। ଯାହାକୁ ନେଇ ଆଜିର ଆଲୋଚନା ସଫଳ ହୋଇଥିବା ଜଣାପଡିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ