ଜଗତସିଂହପୁର: ଦୀର୍ଘ ୧୬ ବର୍ଷର ନୀରବତା ପରେ ପୁଣି ଆରମ୍ଭ ହୋଇ ଯାଇଛି ଶିଳ୍ପ ବିରୋଧୀ ସଂଗ୍ରାମ । ମରିବୁ ପଛେ ବାପ ଅଜା ଅମଳର ଭିଟାମାଟି ଛାଡ଼ିବୁ ନାହିଁ । ପିଢ଼ି ପିଢ଼ି ଧରି ଜୀବିକା ନିର୍ବାହ କରୁଥିବା ଧାନ, ପାନ, ମୀନକୁ କମ୍ପାନୀ ହାତରେ ଟେକି ଦେବାକୁ ରାଜି ନାହାନ୍ତି ଗଡ଼କୁଜଙ୍ଗ, ଢ଼ିଙ୍କିଆ, ନୂଆଗାଁ ଗ୍ରାମବାସୀ । ପୋସ୍କୋ ଗଲାପରେ ଶୀତଳ ପଡିଥିବା ସଂଗ୍ରାମ ଏବେ ପୁଣି ମୁଣ୍ଡ ଟେକିଛି ।
ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ, ଗଡ଼ କୁଜଙ୍ଗ, ନୂଆଗାଁ ଆଦି ଅଞ୍ଚଳର 4ହଜାର 4ଶହ ଏକର ଜମିରେ ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ପାଇଁ 2005 ମସିହା ଜୁନ 21 ତାରିଖରେ ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ସହିତ ଏମଓୟୁ ସ୍ବାକ୍ଷର କରିଥିଲେ । କମ୍ପାନୀ 52 ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରି ଶିଳ୍ପ ପ୍ରତିଷ୍ଠା ପାଇଁ ଆଗେଇ ଆସିବା ବେଳକୁ, ଜମି ଅଧିଗ୍ରହଣକୁ ନେଇ ବିବାଦ ଦେଖା ଦେଇଥିଲା । ସ୍ଥାନୀୟ ଲୋକଙ୍କ ବିରୋଧ ଆଗରେ ମୁଣ୍ଡ ନୁଆଇଁ ଥିଲେ ରାଜ୍ୟ ସରକାର । 2010ରେ ଶିଳ୍ପ ପ୍ରତିଷ୍ଠା କରି ନପାରି ପୋସ୍କୋ ଫେରିଥିଲା ।
ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ପାଇଁ 4 ହଜାର 4ଶହ ଏକର ଜମି ଅଧିଗ୍ରହଣ ସ୍ଥାନରେ ଜିନ୍ଦଲ କମ୍ପାନୀ 53 ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରି 13 ଦଶମିକ 2 ନିୟୁତ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ସହ 900 ମେଗା ୱାଟ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲା । ରାଜ୍ୟ ସରକାର ଅଧିକ ଜମି ଅଧିଗ୍ରହଣ ପାଇଁ ଗତବର୍ଷ ଡିସେମ୍ବର ମାସରେ ଗଡ଼ କୁଜଙ୍ଗ ଠାରେ ଜନଶୁଣାଣି କରିଥିଲେ। ଏଥିରେ ଶିଳ୍ପାୟନର ସପକ୍ଷ ଓ ବିପକ୍ଷ ମୁହାଁମୁହିଁ ହୋଇଥିଲେ । ଜମି ଅଧିଗ୍ରହଣକୁ ନେଇ କୌଣସି ସମାଧାନ ବାହାରି ପାରି ନଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରୟାସ ଆରମ୍ଭ ହେବାପରେ ଏବେ ପୁଣି ବିରୋଧ ଆରମ୍ଭ ହୋଇଛି ।
ବୁଧବାର ଦିନ ଜିଲ୍ଲାପାଳ ସ୍ଥାନୀୟ ସପକ୍ଷବାଦୀଙ୍କ ସହ ଆଲୋଚନା କରୁଥିବା ସମୟରେ ବିପକ୍ଷବାଦୀମାନେ ସେହିଦିନକୁ ପ୍ରତିବାଦ ଦିବସ ଭାବେ ପାଳନ କରିଛନ୍ତି । ହଜାର ହଜାର ଲୋକେ ଭିଟାମାଟି ବଞ୍ଚାଅ ନାରାଦେଇ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ। ଅପର ପକ୍ଷରେ କମ୍ପାନୀ ପାନ ବରଜ ଡ଼ିସିମିଲ ପିଛା 11 ହଜାର 500ରୁ ଅଧିକ 17 ହଜାର 500 ଟଙ୍କା ଦେବାକୁ ଘୋଷଣା କରିଥିବା ବେଳେ ଚିଙ୍ଗୁଡ଼ି ଘେରି ଏକର ପିଛା 2ଲକ୍ଷ ବଦଳରେ ଅଢେଇ ଲକ୍ଷ ଓ ଶ୍ରମିକ ଭତ୍ତା 2250 ରୁ 4ହଜାର 400 ଦେବାକୁ ପ୍ରସ୍ତାବ ଦେଇଛି ।
ଏପଟେ କିନ୍ତୁ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସପକ୍ଷବାଦୀ ଦାବି କରିଥିବା ବେଳେ ତାକୁ ଗ୍ରହଣ କରିନି କମ୍ପାନୀ । ଯାହାକୁ ନେଇ ସନ୍ଦେହ ଉପୁଜିଛି । ଜିଲ୍ଲାରେ ଶିଳ୍ପାୟନର ବିକାଶ ହେବା ଜରୁରୀ, କିନ୍ତୁ ଏଥିରେ କ୍ଷତିଗ୍ରସ୍ତ ହେଉଥିବା ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ସାଙ୍ଗକୁ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ମଧ୍ୟ ଆବଶ୍ୟକତା ରହିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ