ଜଗତସିଂହପୁର: ଜଗତସିଂହପୁର, ପାରାଦ୍ୱୀପ ସହର ଚୋରା ମଦ ମାଫିଆଙ୍କ ଚରା ଭୂଇଁ ପାଲଟିଛି । କୁଜଙ୍ଗ ଠାରୁ ଆରମ୍ଭ କରି ପାରାଦ୍ୱୀପ ପର୍ଯ୍ୟନ୍ତ ସବୁଠାରେ ଚୋରା ମଦର ପସରା ମେଲିଛି । ଫଳରେ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ୱ ହରାଉଛନ୍ତି ।
ଅନ୍ୟ ପକ୍ଷରେ ମଦକୁ ନେଇ ଶ୍ରମିକ ଶ୍ରେଣୀର ଲୋକଙ୍କ ପରିବାରରେ ମାଡ଼ ପିଟ ସାଙ୍ଗକୁ ବିଭିନ୍ନ ଅପରାଧ ଘଟୁଛି । ଫଳରେ ଲୋକେ ମଦକୁ ଅତିଷ୍ଠ ହୋଇ ପଡିଲେଣି । ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କର୍ମଚାରୀ ଅଭାବ ହେତୁ ବ୍ୟାପକ ଭାବରେ ଚଢ଼ାଉ କରାଯାଉ ନାହିଁ । ଯାହାକୁ ନେଇ ବିନ୍ଦାସରେ ବେପାର ଚଳାଇଛନ୍ତି ମଦ ବ୍ୟବସାୟୀ ।
ଆଜି(ଶନିବାର) ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ପାରାଦ୍ୱୀପ ଲକ ଥାନା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ସେଠାରେ ଚୋରାମଦ ଵ୍ୟଵସାୟ ଚଳାଉଥିବା ମଦ ମାଫିଆ ନରେଶ ମହାନ୍ତିଙ୍କୁ ଅବକାରୀ ବିଭାଗ ଅଧିକାରୀମାନେ ଧରିବା ସହ ତାଙ୍କ ନିକଟରୁ 75,500 ବୋତଲ ବିଅର ଜବତ କରିଛି ।
ବିପୁଳ ପରିମାଣର ମଦ ଜବତ ହେଇଥିବାରୁ ସ୍ଥାନୀୟ ଲୋକେ ଅବକାରୀ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି । ଯଦି ଏହିଭଳି ଚଢ଼ାଉ କରାଯାଏ ଲକ ଥାନା ଅଞ୍ଚଳରେ ଚୋରା ମଦ କାରବାର ହ୍ରାସ ପାଇବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ