ଜଗତସିଂହପୁର: ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ମା' କନକଦୁର୍ଗା ମନ୍ଦିର । ବିଶ୍ବାସ ଓ ସମର୍ପଣର ସମନ୍ବୟରେ ମା' କନକଦୁର୍ଗାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଶ୍ରଦ୍ଧାଳୁ । ଏହି ମନ୍ଦିରରେ ବୁଧବାରଠୁ କୁକୁଡ଼ା ଉଡା ପର୍ବ ଆରମ୍ଭ ହୋଇଛି । ଏହି ପର୍ବରେ ଶ୍ରଦ୍ଧାଳୁମାନେ ନିଜ ପିଲାମାନଙ୍କ ମଙ୍ଗଳ ପାଇଁ ମାନସିକ ଅନୁସାରେ ମାଙ୍କ ପୀଠରେ ବାରୁଣୀ ଦିନ କୁକୁଡ଼ା ଉଡାଇବା ସହ ଖଡିକା ମୁଠାରେ ପୀଠ ପହଁରିବା ପରମ୍ପରା ରହି ଆସିଛି। ବିଶ୍ବାସ ରହିଛି ମାଆ ଦୁଃଖ ହରଣ କରନ୍ତି ମନବାଞ୍ଛା ପୂରଣ କରନ୍ତି ।
ପାଖାପାଖି ୫୦୦ ବର୍ଷ କାଳରୁ ଏହି ନିଆରା ପରମ୍ପରା ଏଠାରେ ଦେଖିବାକୁ ମିଳେ । ଏହି ପର୍ବ 8 ଦିନ ଧରି ଚାଲିବ । ହଜାର ହଜାର ଭକ୍ତ ମାଙ୍କୁ ଦର୍ଶନ କରିବା ସହ କୁକୁଡ଼ା ଅର୍ପଣ କରିଥାନ୍ତି । ଏହି ପୀଠରେ କୁକୁଡ଼ା ଉଡାଇଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତ ମାନଙ୍କ ବିଶ୍ବାସ ରହିଛି । ପୂର୍ବରୁ ଏହି ପୀଠରେ ବଳିପ୍ରଥା ପ୍ରଚଳିତ ହୋଇ ଆସୁଥିଲା । କାଳକ୍ରମେ ଏହା ବନ୍ଦ ହେବାସହ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ବଳି ପାଇଁ ଆସିଥିବା କୁକୁଡ଼ାକୁ ଏଠାରେ ଉଡାଇ ଦିଆଯାଏ।
ବିଶ୍ବାସ ରହିଛି ଏହି ପୀଠକୁ ଯିଏ ଆସେ ସେ ଖାଲିହାତରେ ଫେରେନି । ମା'ଙ୍କ ଆଶୀର୍ବାଦରୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଭକ୍ତମାନେ କହିଛନ୍ତି । ପର୍ବରେ ପୀଠରେ ହଜାର ହଜାର ଲୋକ ସମାଗମ ହୋଇଥିବା ଦେଖିବାକୁ ମିଳିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ