ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ତଥା ବିଜେଡି ନେତା ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ପ୍ରେମକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଯବନିକା ପଡିଛି । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଏବଂ ତାଙ୍କ ପ୍ରେମିକା ସୋମାଲିକା ଦାଶ ଆଜି (ମଙ୍ଗଳବାର) ସବ୍ ରେଜିଷ୍ଟାରରେ ପହଞ୍ଚି ବିବାହ ପାଇଁ ଅବେଦନ କରିଥିବା ଜଣାପଡିଛି । ଯାହାକୁ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଜୋରଧରିଛି ।
ମିଳିଥିବା ଖବର ଅନୁଯାୟୀ, ବିଧାୟକ ବିଜୟ ଶଙ୍କର ଦାସଙ୍କ ସହ ସୋମାଲିକାଙ୍କର ପୂର୍ବରୁ ପ୍ରେମ ସମ୍ପର୍କ ରହି ଆସିଥିଲା । କିଛିଦିନ ପୂର୍ବେ ପ୍ରେମିକା ସୋମାଲିକା କିଛି ଅନ୍ତରଙ୍ଗ ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ, ଯାହାକୁ ନେଇ ସେ ସମୟରେ ଚର୍ଚ୍ଚା ଜୋର ଧରିଥିଲା । ବିଜୟ ଶଙ୍କର ସୋମାଲିକାଙ୍କୁ ବିବାହ ପାଇଁ ମନା କରିଦେବାରୁ ସେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଥିବା ନେଇ ଚର୍ଚ୍ଚା ହେଉଥିଲା ।
ଗତ ଦୁଇଦିନ ତଳେ ଯୁବତୀ ଜଣଙ୍କ ଜଣେ ଆଇପିଏସ ଅଧିକାରୀଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ । ତେବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ବିଧାୟକ ଓ ତାଙ୍କ ପ୍ରେମିକା ଉଭୟ ସବ୍ ରେଜିଷ୍ଟାରରେ ବିବାହ ପାଇଁ ଆବେଦନ କରିଛନ୍ତି । ତେବେ ଏନେଇ ବିଧାୟକ ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖି ନ ଥିବାବେଳେ ପ୍ରେମିକା ସୋମାଲିକା ବିବାହରେ ଖୁସିଥିବା କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ