ଢିଙ୍କିଆ (ଜଗତସିଂହପୁର): ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆରେ ପ୍ରସ୍ତାବିତ JSW ପ୍ରକଳ୍ପକୁ ନେଇ ପୋଲିସ ଲାଠିମାଡ଼ ଘଟଣା ପରେ ଏବେ ଗାଁ ପୁରୁଷ ଶୂନ୍ୟ ହୋଇପଡିଛି । ପୋଲିସ ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତିର ମୁଖ୍ୟ ଦେବେନ୍ଦ୍ର ସ୍ବାଇଁ ଙ୍କ ସହ ପାଞ୍ଚଜଣ ସହଯୋଗୀଙ୍କୁ ଗିରଫ କରିଛି । ଏଥିସହ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚୁରା କରୁଥିବା ଜଣାପଡିଛି ।
ଗତକାଲି(ଗୁରୁବାର) କେତେଜଣ ଲୋକ ପୋଲିସ ସହାୟତାରେ ଅଧିଗ୍ରହଣ ହୋଇ ନଥିବା ପାନ ବରଜ ଭାଙ୍ଗିଥିଲେ। ଏହାକୁ ବିରୋଧ କରିବା ସହ ଆଜି ଦେବେନ୍ଦ୍ର ସ୍ବାଇଁଙ୍କ ନେତୃତ୍ବରେ ଗ୍ରାମବାସୀ ମାନେ ବରଜ ଦେଖିବାକୁ ଯିବାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଫଳରେ ପୋଲିସ ସେଠାରେ ଲାଠି ଚାଳନା କରିଥିଲା । ଏଥିରେ 20ରୁ ଅଧିକ ଗ୍ରାମବାସୀ ଆହତ ହୋଇଥିବା ଜଣାପଡ଼ିଛି।
ଢ଼ିଙ୍କିଆ ମଧ୍ୟକୁ ପୋଲିସ ଧସେଇ ପଶିବା ସହ ଘରୁ ଭିଡ଼ିନେଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି ଯେ, କୋଭିଡ ଗାଇଡ଼ଲାଇନକୁ ଉଲଂଘନ କରି ଗ୍ରାମବାସୀ ମାନେ ରାଲି କରିବା ସହ ପୋଲିସ ଉପରକୁ ପରିଶ୍ରା ପକାଇବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏଥିରେ ଗ୍ରାମବାସୀଙ୍କ ସମେତ କେତେକ ପୋଲିସ କର୍ମଚାରୀ ଆହତ ହୋଇଥିବା SP କହିଛନ୍ତି ।
ଏହାମଧ୍ୟ ପଢନ୍ତୁ: JSW Project: ଢିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ
ଅନ୍ୟପଟେ ତହସିଲଦାର ପୋଲିସର ଲାଠିମାଡ଼ କିପରି କରାଗଲା ସେ ସମ୍ପର୍କରେ ଅନୁସନ୍ଧାନ କରି କହିବେ ବୋଲି କହିଛନ୍ତି । ମାଜିଷ୍ଟ୍ରେଟ୍ଙ୍କ ଅଜ୍ଞାତରେ ପୋଲିସ କିପରି ଲାଠିମାଡ଼ କଲା ତାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ତେବେ ସନ୍ଧ୍ୟା ସୁଦ୍ଧା ଢ଼ିଙ୍କିଆ ଗ୍ରାମରେ ନୀରବତା ଛାଇ ଯାଇଛି । ଗ୍ରାମବାସୀ ମାନେ କରିଥିବା ଅସ୍ଥାୟୀ ଗେଟ୍ ଓ ଶିବିରକୁ ପୋଲିସ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ