ଜଗତସିଂହପୁର: ଜିଲ୍ଲାରେ ବିଜୁଳି ତାର ବିପଦ ସଂକୁଳ ଅବସ୍ଥାରେ ଝୁଲୁଛି। କଟକ ଜଗତସିଂହପୁର ଓ କଟକ ପାରାଦ୍ବୀପ ମୁଖ୍ୟ ରାସ୍ତା କଡରେ ଏପରି ମୁକୁଳା ଭାବେ ଝୁଲିକି ରହିଛି 11 କେଭି ବିଦ୍ୟୁତ ତାର। କେଉଁଠି ଖୁଣ୍ଟ ବଙ୍କା ହୋଇ ଗଲାଣି ତ କେଉଁଠି ବସ ଠାରୁ 2 ଫୁଟ ଉପରେ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ 11 କେଭି ଲାଇନ ତାର। ଯଦି କିଛି ସରଞ୍ଜାମ ବସ ଉପରେ ଆସେ ତେବେ କଥା ସରିଲା। ଭଗବାନଙ୍କ ଭରସାରେ ବସ ଯାତ୍ରୀ।
ଏହାସହ ଗାଁ ଗହଳି କଥା ନକହିବା ଭଲ। ଲାଇନ ତାର କେଉଁଠି ତଳେ ଝୁଲୁଛି ତ କେଉଁଠି ରାସ୍ତା ଠାରୁ ମାତ୍ର 5 ଫୁଟ ଉପରେ। ବିଦ୍ୟୁତ ବିଭାଗ କହୁଛି ରାସ୍ତା ଉଞ୍ଚା ହେଉଥିବାରୁ ବିଦ୍ୟୁତ ତାର ଉଚ୍ଚତା କମୁଛି। ସେଥିପାଇଁ ରାସ୍ତା ନିର୍ମାଣ କରୁଥିବା ସଂସ୍ଥା ହିଁ ଦାୟୀ।
ଏହାକୁ ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସେସୁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ କଟକ ଜଗତସିଂହପୁର ଓ କଟକ ପାରାଦ୍ବୀପ ରାସ୍ତାର 20 ସ୍ଥାନରୁ ବିପଦ ସଂକୁଳ ଅବସ୍ଥାରେ ଝୁଲୁଥିବା 11 କେଭି ବିଦ୍ୟୁତ ତାରକୁ ହଟାଇବାକୁ ନିର୍ଦେଶ ଦିଆଯାଇଛି।
ତେବେ ପର୍ଯ୍ୟାୟ କ୍ରମେ ଗାଁ ଗହଳି ଅଞ୍ଚଳରେ ଥିବା ବିପଦ ସଙ୍କୁଳ ବିଦ୍ୟୁତ ତାରକୁ ହଟାଇ ଦିଆଯିବ ବୋଲି ଜିଲ୍ଲା ସେସୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିରଜା ପ୍ରସାଦ ପାଢ଼ୀ ପ୍ରକାଶ କରିଛନ୍ତି।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର,ଇଟିଭି ଭାରତ