ଭୁବନେଶ୍ବର: ଜଗତସିଂହପୁର ଏରସମା ବ୍ଲକ ଅନ୍ତର୍ଗତ ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳ ଢ଼ିଙ୍କିଆରେ ପୋଲିସ ଓ ଜନତା ମୁହାଁମୁହିଁ ପ୍ରସଙ୍ଗରେ ସବୁ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । BJP ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ପୋଲିସ ବର୍ବରତା ଗ୍ରହଣୀୟ ନୁହେଁ । ଶିଳ୍ପ ହେଉ କିନ୍ତୁ ଜନସାଧାରଣଙ୍କ ମତାମତ ନେଇ ସମସ୍ତ କାର୍ଯ୍ୟ କରାଯାଉ । ଜନତାଙ୍କ ସହ ଆଲୋଚନା କଲେ ସବୁ ସଫଳ ହୁଏ । ଏହାକୁ ଅଗ୍ରାଧିକାର ଦେବା ଉଚିତ । ରାଜ୍ୟ ସରକାର କିଛି ଲୋକଙ୍କୁ ବୁଝାଇ ପାରିନାହାଁନ୍ତି । ପୋଲିସ ଓ ଜିଲ୍ଲା ପ୍ରଶାସନ ଏବଂ ଢ଼ିଙ୍କିଆ ପଞ୍ଚାୟତର ଲୋକଙ୍କ ମଧ୍ୟରେ ଦୂରତା ରହିଛି । ତାହାର ତୁରନ୍ତ ସମାଧାନ ହେବା ଉଚିତ। ବଳ ପ୍ରୟୋଗ କଲେ କୌଣସି କାର୍ଯ୍ୟ ସଫଳ ହୁଏ ନାହିଁ ।
ଏହାମଧ୍ୟ ପଢନ୍ତୁ: ଢିଙ୍କିଆବାସୀଙ୍କୁ ପୋଲିସର ଆକ୍ରମଣ ଘଟଣା: ତଦନ୍ତ ଦାବି କରି ଗର୍ଜିଲା କଂଗ୍ରେସ
ପ୍ରକଳ୍ପକୁ ବିରୋଧ କରୁଥିବା ଗ୍ରାମବାସୀଙ୍କ ଉପରେ ପୋଲିସର ଲାଠିମାଡ ପରେ ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଜିଲ୍ଲା ପ୍ରଶାସନ ଜୋର ଜବରଦସ୍ତ ପାନ ବରଜ ଭାଙ୍ଗୁଥିବା ଗ୍ରାମବାସୀମାନେ ଅଭିଯୋଗ କରିବା ସହ ବିରୋଧ କରିଥିଲେ । ଗ୍ରାମବାସୀ ମାନେ କରିଥିବା ଅସ୍ଥାୟୀ ଶିବିରକୁ ପୋଲିସ ଭାଙ୍ଗିବା ଅଭିଯୋଗ ମଧ୍ୟ ହୋଇଛି । ଏହାକୁ ନେଇ ପୁଣି ପୋଲିସ ଓ ଗ୍ରାମବାସୀ ଶୁକ୍ରବାର ସକାଳେ ମୁହାଁମୁହିଁ ହୋଇଥିଲେ ।
ଢିଙ୍କିଆରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ଘଟଣାରେ ରାଜ୍ୟ ସରକାରଙ୍କୁ କଂଗ୍ରେସ ମଧ୍ୟ ଟାର୍ଗେଟ କରିଛି । ଢିଙ୍କିଆ ଗ୍ରାମବାସୀଙ୍କ ଉପରେ ପୋଲିସ ଆକ୍ରମଣକୁ ନିନ୍ଦା କରିଛନ୍ତି ସାଧାରଣ ସମ୍ପାଦକ ଲଲାଟେନ୍ଦୁ ମହାପାତ୍ର । ପାନ, ମୀନ ଓ ଧାନ ପାଇଁ ଗ୍ରାମବାସୀଙ୍କ ଲଢେଇ ବୋଲି କହିଛି କଂଗ୍ରେସ ।
ଏହାମଧ୍ୟ ପଢନ୍ତୁ: JSW Project: ଢିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ
ସେପଟେ ପୋଲିସ ଉପରକୁ ପ୍ରଥମେ ଗ୍ରାମବାସୀ ଆକ୍ରମଣ କରିବାରୁ, ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ମୃଦ୍ୟୁ ଲାଠି ଚାଳନା କରିବାକୁ ପଡିଥିବା ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଲାଠି ମାଡରେ କିଛି ଗ୍ରାମବାସୀ ଆହତ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ଗ୍ରାମର ମହିଳା ଓ ପୁରୁଷ ପୋଲିସ କେହି ମାଡ଼ରୁ ବର୍ତ୍ତିନାହାନ୍ତି । JSW ପ୍ରକଳ୍ପ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଉଥିବା ଦେବେନ୍ଦ୍ର ସ୍ବାଇଁଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ସୂଚନା ରହିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ