ଜଗତସିଂହପୁର: ବହୁ ଚର୍ଚ୍ଚିତ ରଘୁନାଥପୁର ବ୍ଲକରେ ଆମ ଗାଁ, ଆମ ବିକାଶ ଯୋଜନା ରେ ୧କୋଟି ୬୨ଲକ୍ଷ ଟଙ୍କାର ଜାଲିଆତି ଘଟଣାରେ ରଘୁନାଥପୁର ପୋଲିସ ଅବସର ପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରି ସାରିଛି (corruption in raghunathpur block) । ଏଥିରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ସରସ୍ଵତୀ ମୁଦୁଲି, ଇନ୍ଦ୍ର ତନୟା ସାମଲ ଓ ତତ୍କାଳୀନ ବିଡ଼ିଓ ପଞ୍ଚାନନ ପଟନାୟକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ ଗୋବିନ୍ଦ ଓଝା ।
ସୂଚନା ଅଧିକାର କର୍ମୀ ଗୋବିନ୍ଦ ଓଝା ଅଭିଯୋଗ କରିଛନ୍ତି ଯେ, ''ରଘୁନାଥପୁର ବ୍ଲକରେ ଆମ ଗାଁ ଆମ ବିକାଶ ଯୋଜନାରେ 5 ଟି ପଞ୍ଚାୟତରେ ଦେଢ଼ କୋଟିରୁ ଅଧିକ ଟଙ୍କାର କାର୍ଯ୍ୟ କରାଯାଇଥିଲା । ଏହି କାମ ଗୁଡିକ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ରହିଥିବା ଜଣା ପଡିବା ପରେ କାମରେ ବ୍ୟବହୃତ ସିମେଣ୍ଟ ଗୋଡି ଓ ରଡ଼ର ବିଲ RTI ମାଧ୍ୟମରେ ମାଗିଥିଲେ । ଏହା ସମ୍ପୂର୍ଣ୍ଣ ଜାଲ ବିଲ ବୋଲି ଜଣା ପଡିଥିଲା ।''
ଏହା ବି ପଢନ୍ତୁ...ରଘୁନାଥପୁର ବ୍ଳକ ମହାଦୁର୍ନୀତିର ଅଭିଯୁକ୍ତଙ୍କୁ ଗିରଫ ଦାବି କଲା କଂଗ୍ରେସ
ସୂଚନା ଅଧିକାର କର୍ମୀ ଏହାକୁ ନେଇ ରଘୁନାଥପୁର ଗ୍ରାମ୍ୟ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରଘୁନାଥପୁର ପୋଲିସ ଏଥିରେ ସମ୍ପୃକ୍ତ ଅବସର ପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟରେ ହଜାର କରିଥିବା ବେଳେ ଏହି ଘଟଣାର କାର୍ପଟଦାର କୁହାଯାଉଥିବା କନିଷ୍ଠ ଯନ୍ତ୍ରୀ ସରସ୍ଵତୀ ମୁଦୁଲି ଇନ୍ଦ୍ର ତନୟା ସାମଲ ଓ ତତ୍କାଳୀନ ବିଡ଼ିଓ ପଞ୍ଚାନନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ଗିରଫଦାରୀକୁ ଏଡ଼ାଇବା ପାଇଁ ଜିଲ୍ଲା ଇଞ୍ଜିନିୟର ସଂଘ ଜିଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି । ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଯଦି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ବୋଲି ଗୋବିନ୍ଦ ଓଝା କହିଛନ୍ତି । ନିକଟରେ ଏହି ଦୁର୍ନୀତି ନେଇ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା । ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲା ରଘୁନାଥପୁର ବ୍ଲକ କଂଗ୍ରେସ ।
ଇଟିଭି ଭାରତ, ଜଗତସିଂହପୁର